ମାଲକାନଗିରି,୧୭/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୧୦୫ କିଲୋ ଗଞ୍ଜେଇ ସମେତ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ନୀଳାଦ୍ରିନଗର ଗ୍ରାମକୁ ଲାଗି ରହିଥିବା ସୁବର୍ଣ୍ଣପୁର ଗ୍ରାମ ଶେଷରେ ଥିବା ଏକ ଜଙ୍ଗଲରେ ଚାଲାଣ ନିମନ୍ତେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ଶନିବାର ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ବିଶେଷ ସୁତରୁ ଖବର ପାଇଥିଲେ। ଏହାପରେ ଏକ ଟିମ ଏସଆଇ ମିଲନ ବାରିହାଙ୍କ ନେତୃତ୍ୱରେ ଉକ୍ତ ସ୍ଥାନକୁ ଶନିବାର ଅପରାହ୍ନ ସମୟରେ ଚଢ଼ାଉ ନିମନ୍ତେ ପଠାଇଥିଲେ। ପୋଲିସର ଚଢ଼ାଉ ସମୟରେ ସେଠାରେ ଥିବା ୨ ଚାଲାଣକାରୀ ପୋଲିସ କୁ ଦେଖି ଛତ୍ରଭଙ୍ଗ ଦେବାକୁ ଚେଷ୍ଟା କରିବା ସମୟରେ ପୋଲିସ ୨ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେଠାରୁ ୧୦୫ କିଲୋ ଗଞ୍ଜେଇ ଜବତ ସହ ଉକ୍ତ ୨ ଚାଲାଣକାରୀ ଙ୍କୁ ପୋଲିସ କେଉଁଠାରୁ ଗଞ୍ଜେଇ ଆଣିଥିବା ନେଇ ପଚରାଉଚରା କରିବାରୁ ସେମାନେ ଚିତ୍ରକୋଣ୍ଡା ବ୍ଲକ ଏରାଗପୁ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଠାରୁ ଗଂଜେଇ ଆଣିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ। ପରେ ଏହି ୨ ଚାଲାଣକାରୀ ଙ୍କ ସମେତ ଚିତ୍ରକୋଣ୍ଡା ଅଂଚଳରୁ ଅନ୍ୟ ଜଣେ ଚାଲାଣକାରୀ ଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ହୋଇଥିବା ୩ ଚାଲାଣକାରୀ ହେଲେ କାଳିଆ ବେହୁରିଆ(୩୦)ଘର ବାଣ୍ଡିଗୁଡା, ଯାଦବ ବେହେରା(୨୫)ଘର ବାଲିମେଳା ସ୍ଥିତ ଓଡିଆ ସାହି ଏବଂ ବିଭୀଷଣ କିରସାନି(୩୦)ଘର ଚିତ୍ରକୋଣ୍ଡା ଅଞ୍ଚଳର ଏରାଗପୁ ବୋଲି ପୋଲିସ ସୂଚନା ଦେଇଛି। ସେମାନେ ଏହି ଗଞ୍ଜେଇ କୁ ଛତିଶଗଡ଼ ରାଜ୍ୟର ରାୟପୁର ସହରକୁ ଚାଲାଣ କରିବା ନିମନ୍ତେ ରଖିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ମନୋହର ସାହୁ କହିଛନ୍ତି। ଆଜି ୩ ଚାଲାଣକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

