ମାଲକାନଗିରି, ୨୮/୦୯(ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପୋଡ଼ାଘାଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବହୁ ପ୍ରତୀକ୍ଷିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସର ଶୁଭାରମ୍ଭ ହୋଇଛି। ଏହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଙ୍କ ରହିବା ସମସ୍ୟା ଦୂର ହେବା ସହ ସୁରକ୍ଷିତ ପରିବେଶରେ ଶିକ୍ଷା ଗ୍ରହଣର ସୁଯୋଗ ମିଳିବ।
ଛାତ୍ରୀନିବାସର ଶୁଭାରମ୍ଭ ପଛରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିରନ୍ତର ତଦାରଖ ଓ ପ୍ରଚେଷ୍ଟା ରହିଥିବା କୁହାଯାଇଛି। ଛାତ୍ରୀଙ୍କ ଆବାସିକ ସମସ୍ୟାକୁ ଗୁରୁତ୍ୱ ଦେଇ ପ୍ରକଳ୍ପର ନିୟମିତ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳଙ୍କ ମାର୍ଗଦର୍ଶନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ଗଣ୍ଡ, ବରିଷ୍ଠ ଯନ୍ତ୍ରୀ ସରୋଜ କୁମାର ସାମନ୍ତରାୟ ଓ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀଙ୍କ ଉପସ୍ଥିତିରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ବ୍ଲକ ଚେୟାରମ୍ୟାନ ବିଘ୍ନ କିର୍ଷାନି, ଜିଲ୍ଲା ପରିଷଦ ସଭ୍ୟ ବଳିରାମ ମାଝୀ, ସରପଞ୍ଚ ଗୁରୁ ମାଲାରିଆ, ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ କମଲ ସିଂ ବାକା, ନୋଡାଲ ପ୍ରଧାନଶିକ୍ଷକ ମାନସ ରଞ୍ଜନ ନାୟକ, ଗୁମ୍ମା ଓଏଭି ପ୍ରିନ୍ସିପାଲ ମହେଶ୍ୱର ସ୍ୱାହୋଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି। ବାଳିକାଙ୍କ ଶିକ୍ଷା ଓ ଆବାସିକ ସୁବିଧାକୁ ଏହା ଆହୁରି ସୁଦୃଢ଼ କରିବ ବୋଲି ଅଭିଭାବକ ଓ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

