ମାଲକାନଗିରି, ୨୬/୦୯ (ପାଇକପୁଅ)ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜନଜୀବନକୁ ଦୁର୍ବିସହ କରିଦେଇଥିଲା। ମହୁପଦର ସମେତ ବିଭିନ୍ନ ପଞ୍ଚାୟତର ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ନଦୀନାଳର ଜଳସ୍ତର ବୃଦ୍ଧି ଯୋଗୁଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ବର୍ଷାର ପ୍ରକୋପ କିଛିଟା କମିଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଏଭଳି ବିପର୍ଯ୍ୟୟ ସମୟରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ।

ବିଧାନସଭା କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ସେ ମାଥିଲି ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଗାଁ ଗସ୍ତ କରିବା ସହ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଘରେ ପାଣି ପଶିବାଠାରୁ ଆରମ୍ଭ କରି ଯାତାୟାତ, ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ପ୍ରଭାବିତ ଲୋକଙ୍କଠାରୁ ଅବଗତ ହୋଇଥିଲେ। ବନ୍ୟା ଯୋଗୁଁ ଘର ଭାଙ୍ଗିଯାଇଥିବା ପରିବାରଙ୍କୁ ପଲିଥିନ ଯୋଗାଇବା ସହ ଆବଶ୍ୟକ ସହାୟତା ପାଇଁ ବିଧାୟକ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଏକ ବିଦ୍ୟାଳୟ ଘରର ବାରଣ୍ଡାରେ ଆଶ୍ରୟ ନେଇଥିବା ବନ୍ୟାପ୍ରଭାବିତଙ୍କୁ ନିଜ ହାତରେ ଭାତ-ଡାଲମା ପରସିଥିବା ଦୃଶ୍ୟ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।ବିପଦ ସମୟରେ ନିଜ ପ୍ରତିନିଧିଙ୍କୁ ନିକଟରେ ପାଇ ଗ୍ରାମବାସୀ ମଧ୍ୟ ଖୁସି ପ୍ରକାଶ କରିଥିଲେ। ଦୁର୍ଦ୍ଦିନରେ ଲୋକଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କ ସହ ଠିଆ ହେବାର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ମାଥିଲିରେ ବନ୍ୟା ସ୍ଥିତି କ୍ରମଶଃ ସୁଧୁରୁଥିବା ବେଳେ ଏବେ ରିଲିଫ୍, ପୁନରୁଦ୍ଧାର ଓ କ୍ଷୟକ୍ଷତି ଆକଳନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶେଷକରି ଘରଦ୍ୱାର ଓ ରାସ୍ତାଘାଟର କ୍ଷୟକ୍ଷତିର ତ୍ୱରିତ ଆକଳନ କରି ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ବିଧାୟକ ଶ୍ରୀ ଖିଲ ଦାବି କରିଛନ୍ତି।

