ମାଲକାନଗିରି, ୨୪/୦୯ (ପାଇକପୁଅ)ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ପୁଣି ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୬୩.୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ନଦୀ, ନାଳ ଓ ଜଳାଶୟଗୁଡ଼ିକର ଜଳସ୍ତର ବଢ଼ିଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ସହ ଜିଲ୍ଲାର ପୋଟେରୁ, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ଓ ଏମ୍ଭି-୯୬ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବ ପୋଟେରୁ ଅଞ୍ଚଳରେ ଦେଖିବାକୁ ମିଳିଛି। ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଏନ୍ଏଚ୍-୩୨୬ରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ ବ୍ରିଜ୍ର ଉଭୟ ପାର୍ଶ୍ୱରେ ଟ୍ରକ୍ ସମେତ ବହୁ ଭାରୀ ଓ ହାଲୁକା ଯାନ ଅଟକି ରହିଛି। ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରହିବାରୁ ଯାତ୍ରୀ ଓ ମାଲବାହୀ ଯାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏମ୍ଭି-୯୦ ଏବଂ ଏମଭି-୯୬ ଅଞ୍ଚଳରେ ମଧ୍ୟ ବନ୍ୟାଜଳ ଯୋଗୁଁ ସଡ଼କ ଯୋଗାଯୋଗ ପ୍ରଭାବିତ ହୋଇଛି। ପୂର୍ବରୁ ମଧ୍ୟ ଲଗାଣ ବର୍ଷା ସମୟରେ କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ ଓ ପାଙ୍ଗାମ ଭଳି ଅଞ୍ଚଳରେ ପୋଲ ଉପରେ ପାଣି ଚାଲିଥିବାରୁ ଯାତାୟାତ ବ୍ୟାହତ ହୋଇଥିଲା। ଅନ୍ୟପକ୍ଷରେ ଗଭୀର ଅବପାତକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗଭୀର ଅବପାତଟି ୨୩ ତାରିଖ ରାତି ୧୧ଟାରୁ ୨୪ ତାରିଖ ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟନମ୍ର ଦକ୍ଷିଣପଶ୍ଚିମ ନିକଟରେ ଉପକୂଳ ଅତିକ୍ରମ କରିଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିଥିବାବେଳେ ଝଟକା ପବନର ବେଗ ୭୫ କିମି ପର୍ଯ୍ୟନ୍ତ ରହିଥିଲା। ଅବପାତ ପ୍ରଭାବରେ ଜିଲ୍ଲାର କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ଗଛ ହଟାଇ ଯାତାୟାତ ସ୍ୱାଭାବିକ କରିଥିଲା। ଏପଟେ ଲଗାଣ ବର୍ଷା ଯୋଗୁଁ ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ୁଥିବାରୁ ବନ୍ୟା ପରିସ୍ଥିତି ଉପୁଜି ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି। ଜଳମଗ୍ନ ପୋଲ ଉପରେ ବିପଦକୁ ଅଣଦେଖା କରି ଯାନବାହନ ଚଳାଚଳ ନକରିବାକୁ ସତର୍କ କରାଯାଇଛି। ବନ୍ୟାଜଳ ନକମିବା ପର୍ଯ୍ୟନ୍ତ ଆବଶ୍ୟକସ୍ଥଳେ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ଜଳମଗ୍ନ ପୋଲ ଅତିକ୍ରମ ନକରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

