ଯୋଡ଼ା,୨୨/୦୮(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ଧରଣର ଲୁଟ୍ ଉଦ୍ୟମ ଜଣାପଡ଼ିଛି। ଚାରିଜଣ ଦୁର୍ବୃତ୍ତ ବ୍ୟାଙ୍କର ପଛପଟ ଝରକାର ଲୁହା ଗ୍ରିଲ୍ କାଟି ଭିତରକୁ ପ୍ରବେଶ କରିଥିଲେ। ତେବେ ଦୁର୍ବୃତ୍ତମାନେ ବ୍ୟାଙ୍କର ମୁଖ୍ୟ ଲକର୍ ଅଥବା ଟଙ୍କା ରଖାଯାଇଥିବା ସ୍ଥାନରେ ପହଞ୍ଚି ପାରିନଥିବାରୁ ବଡ଼ଧରଣର ଚୋରିରୁ ବ୍ୟାଙ୍କ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧ଟା ୩୦ ପରେ ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କର ପଛପଟକୁ ଯାଇ ଝରକାର ଗ୍ରିଲ୍ କାଟି ଭିତରକୁ ପଶିଥିଲେ। ବ୍ୟାଙ୍କ ଭିତରେ ଥିବା ବିଭିନ୍ନ ଜିନିଷପତ୍ର ଖୋଜାଖୋଜି କରିବା ସହ ତାହାକୁ ଏଣେତେଣେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ତେବେ ଦୁର୍ବୃତ୍ତମାନେ ମୁଖ୍ୟ ଲକର୍ ନିକଟରେ ପହଞ୍ଚି ପାରିନଥିବାରୁ ଟଙ୍କା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇନଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ଶନିବାର ସକାଳେ ବ୍ୟାଙ୍କ ଖୋଲିବା ପରେ ଝରକା ଭଙ୍ଗାଯାଇଥିବା ଏବଂ ବ୍ୟାଙ୍କ ଭିତରେ ଜିନିଷପତ୍ର ଅସଜଡ଼ା ଅବସ୍ଥାରେ ପଡ଼ିଥିବା ବ୍ୟାଙ୍କ କର୍ମଚାରୀମାନେ ଦେଖିଥିଲେ। ଏନେଇ ଶାଖା ପରିଚାଳକ ବିଶ୍ୱଜିତ ମାଝୀ ତୁରନ୍ତ ଯୋଡ଼ା ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇ ଯୋଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ପରିସର ସମେତ ଆଖପାଖ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ବ୍ୟାଙ୍କର ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯିବା ସହ ଘଟଣା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଛି। ଦୁର୍ବୃତ୍ତମାନଙ୍କ ଗତିବିଧି, ପରିଚୟ ଏବଂ ସେମାନେ କେଉଁ ଦିଗକୁ ଯାଇଥିଲେ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ଅନ୍ୟପକ୍ଷରେ, ଖଣି ଅଞ୍ଚଳରେ ନିକଟ ଅତୀତରେ ଦୁଇଟି ବଡ଼ଧରଣର ବ୍ୟାଙ୍କ ଲୁଟ୍ ଘଟଣା ଘଟିଥିବା ବେଳେ କଣ୍ଡରା ବ୍ୟାଙ୍କରେ ଲୁଟ୍ ଉଦ୍ୟମ ଘଟଣା ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ବିଶେଷକରି ରାତି ସମୟରେ ବ୍ୟାଙ୍କ ପରିସରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥାରେ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ତା ର ସୁବିଧା ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।
କଣ୍ଡରା ବ୍ୟାଙ୍କଠାରୁ ଝାଡ଼ଖଣ୍ଡ ସୀମା ମାତ୍ର ପ୍ରାୟ ୭ କିଲୋମିଟର ଦୂରରେ ଥିବାରୁ ଏହି ଘଟଣାରେ କୌଣସି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗକୁ ମଧ୍ୟ ପୋଲିସ ତଦନ୍ତ କରୁଛି। ଘଟଣାର ତଦନ୍ତ ଜାରି ରହିଥିବା ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି।

