ବାରିପଦା,୨୦/୦୮(ପାଇକପୁଅ)ବିଶିଷ୍ଟ ସାରସ୍ୱତ ସାଧକ ସ୍ୱର୍ଗତ ଧନେଶ୍ୱର ପଣ୍ଡାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଶାଦେବୀ ସ୍ମୃତିପରିଷଦ ଆନୁକୂଲ୍ୟରେ ତାଙ୍କ ରଚିତ ଓ ତତ୍ତ୍ୱମସି ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ସାମଲଙ୍କ ସମ୍ପାଦିତ ଗଳ୍ପପୁସ୍ତକ, ଧନେଶ୍ୱରଂକ ଅବଶିଷ୍ଟ ଗଳ୍ପଧନ ଓ କବିତା ପୁସ୍ତକ ମଉଳା ଜହ୍ନର ଅଲିଭା ଜୋଛନା ସ୍ଥାନୀୟ ନହରପଦା ସ୍ଥିତ ସାଇ ମଣ୍ଡପରେ ଲୋକାର୍ପିତ ହୋଇଯାଇଛି।ଉତ୍ସବରେ ବର୍ଷିୟାନ ଇଂଜିନିୟର ରବୀନ୍ଦ୍ର ନାଥ ବେହେରା ସଭାପତିତ୍ୱ କରିଥିବା ବେଳେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ଯାଳୟର ସେବାନିବୃତ ପ୍ରଫେସର ଡଃ ମୋହିତ କୁମାର ଷଡଙ୍ଗୀ ମୁଖ୍ୟଅତିଥି, ଡଃ ଅବନୀ କୁମାର କୁଣ୍ଡୁ ମୁଖ୍ୟବକ୍ତା, ଡଃ ସୁଶାନ୍ତ କୁମାର ବଶା ଗଳ୍ପ ପୁସ୍ତକର ସମୀକ୍ଷକ, ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ କୁଂଜବନ ପୃଷ୍ଟି କବିତା ପୁସ୍ତକର ସମୀକ୍ଷକ ଭାବରେ ଓ ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ଯାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡଃ ଶିଶିର କୁମାର ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ନିଜର କାଳଜୟୀ ସୃଷ୍ଟି ବଳରେ ସ୍ରଷ୍ଟା ସଂସାର ରେ ଆମରତ୍ୱ ଲାଭ କରିଥାଏ ବୋଲି କହିଥିଲେ। କବି-କଥାକାର ଅଶୋକ କୁମାର ପଲେଇ ଅତିଥି ପରିଚୟ ପ୍ରଦାନ କଲାପରେ ମୁଖ୍ୟ ଅତିଥି ପୁସ୍ତକ ଦ୍ୱୟର ଶୁଭ ଲୋକାର୍ପଣ କରିଥିଲେ।ତାପରେ ସମ୍ପାଦକ ରାଜେନ୍ଦ୍ର ସାମଲ ପୁସ୍ତକ ଦୁଇଟି ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସମୀକ୍ଷକ ମାନେ ପୁସ୍ତକ ଦ୍ୱୟର ବିଷଦ ସମୀକ୍ଷା କରି ଲେଖକଙ୍କର ଉଚ୍ଚମାନର ସାହିତ୍ଯ ସର୍ଜନାର ଭୂୟସୀ ପ୍ରଶଂସା କରି ସ୍ୱର୍ଗତ ପଣ୍ଡା ତାଂକର ସାରସ୍ୱତ ଅବଦାନ ଓ ଉତୁଙ୍ଗ ବ୍ଯକ୍ତିତ୍ୱ ପାଇଁ କାଳଜୟୀ ହୋଇଯାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଆଶିଷ କୁମାର ବଶା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱର୍ଗତ ପଣ୍ଡାଂକର ପୁତ୍ର ଶ୍ରୀମାନ ଦେବକାନ୍ତ ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।ଏହି ଅବସରରେ ସଭାପତି ଇଂ ବେହେରା ଓ ପୁସ୍ତକର ପ୍ରଚ୍ଛଦଶିଳ୍ପୀ, ଅଦ୍ୱୈତ ପ୍ରସାଦ ବେହେରାଂକୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

