ଯୋଡ଼ା,୨୧/୦୮(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ବିଲସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଟକାମବେଡା ପରିସରରେ ଶୁକ୍ରବାର ଏକାଦଶ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
୨୧ ଅଗଷ୍ଟ ୨୦୨୬ ଶୁକ୍ରବାର ସକାଳ ୧୧ଟାରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଓଝା ସଭାପତିତ୍ୱ କରିଥିଲେ। ଏଥିରେ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଞ୍ଜନ କୁମାର ରାଉତ, ପ୍ରଧାନଶିକ୍ଷକ ଡମ୍ବରୁଧର ମାରାଣ୍ଡି ଓ ବିଜ୍ଞାନ ଶିକ୍ଷକ ମଙ୍ଗୁଳୁ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ସଭାରେ ଅଧ୍ୟାପକ ମନୋଜ କୁମାର ସାହୁ, ଜଗଦିଶ ସାହୁ, ଆଶୁତୋଷ ସେଠୀ, ଭାରତୀ ମହାନ୍ତ, ନିର୍ଲିପ୍ତା ପାଣିଗ୍ରାହୀ, ହେମନ୍ତ କୁମାର ଘଡ଼ିଆ, ଧୁରେନ ମହାନ୍ତଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ପରେ ଏକାଦଶ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହ ଉପହାର ପ୍ରଦାନ କରି ସ୍ୱାଗତ କରାଯାଇଥିଲା।
ସଭା ପରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ନୃତ୍ୟ, ଗୀତ, କମେଡି ଓ ଏକକ ଅଭିନୟ ପରିବେଷଣ କରିଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଅତିଥି ଓ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ନିୟମିତ ପାଠପଢ଼ା, ଏକାଗ୍ରତା, ସମୟର ସଦୁପଯୋଗ ଓ ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହେବା ସହ ଆଗାମୀ ବାର୍ଷିକ ପରୀକ୍ଷାରେ ଉତ୍ତମ ଫଳାଫଳ, ବିଶେଷକରି ୯୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ମାର୍କ ହାସଲ ପାଇଁ ଏବେଠାରୁ ମନୋନିବେଶ କରି ପାଠପଢ଼ିବାକୁ ପରାମର୍ଶ ଦିଆଯାଇଥିଲା।
ଏଥିସହ ପୂର୍ବବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ୬୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୨୮ ଜଣ ଦ୍ୱିତୀୟ ଶ୍ରେଣୀ ଓ ୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସଫଳତାର ଉଦାହରଣ ଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରାଯାଇଥିଲା।
ପରିଶେଷରେ ଅଧ୍ୟାପକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ନେଇ ବିଦ୍ୟାଳୟରେ ଏକ ସୁନ୍ଦର ଓ ଉତ୍ସାହପୂର୍ଣ୍ଣ ପରିବେଶ ପରିଲକ୍ଷିତ ହୋଇଥିଲା।

