ବାରିପଦା, ୧୮/୦୮(ପାଇକପୁଅ)ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ସରୀସୃପ ଓ ବିଷାକ୍ତ କୀଟଙ୍କ ଉପଦ୍ରବ ବଢ଼ିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ଭଞ୍ଜସେନା।ଏହି ସମସ୍ୟାର ତୁରନ୍ତ ସମାଧାନ ସହିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ବାରିପଦାରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ଭେଟି ଏ ସମ୍ପର୍କରେ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାର ୫୧୨୩ଟି ଅଙ୍ଗନୱାଡି କେନ୍ଦ୍ରଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ।ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠପଢ଼ା କାର୍ଯ୍ୟ କରାନଯାଇ ସୁରକ୍ଷିତ ସ୍ଥାନରେ ଶିକ୍ଷାଦାନ, ଶିକ୍ଷାନୁଷ୍ଠାନର ଭିତର ଓ ବାହାରେ ନିୟମିତ ସଫେଇ ସହିତ ଆବଶ୍ୟକ ସ୍ଥାନରେ ବ୍ଲିଚିଂ ପାଉଡର ଓ ଅନ୍ୟାନ୍ୟ ଉପଯୁକ୍ତ ଜୀବାଣୁନାଶକ ବ୍ୟବହାର ପାଇଁ ଦାବି କରାଯାଇଛି।ଏଥିସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣ ସମୟରେ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟାର ତୁରନ୍ତ ସମାଧାନ ଦାବି କରାଯାଇଛି।ବିଭାଗୀୟ ଜିଲ୍ଲା ପ୍ରମୁଖମାନେ ମଧ୍ୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ନିଜ ତରଫରୁ ପ୍ରଚେଷ୍ଟା କରୁଥିବା ଏବଂ ଆଗାମୀ ଦିନରେ ଦାବିଗୁଡ଼ିକର ସଫଳ ସମାଧାନ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିବା ଭଞ୍ଜସେନା ଜିଲ୍ଲା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ଜଣାଇଛନ୍ତି।

