ବାରିପଦା, ୧୪/୦୮(ପାଇକପୁଅ) ସ୍ଥାୟୀ ଜୀବନଶୈଳୀ, ଗୋଷ୍ଠୀ ସଶକ୍ତୀକରଣ ତଥା ଶାନ୍ତିପୂର୍ଣ୍ଣ ସମାଜ ଗଠନ ଏବଂ ଏକ ସମୃଦ୍ଧ, ଆତ୍ମନିର୍ଭରଶୀଳ, ପରିବେଶ ଅନୁକୂଳ ଓ ବିଶ୍ୱସ୍ତରୀୟ ଶାନ୍ତିପୂର୍ଣ୍ଣ ବିଶ୍ୱ ନିର୍ମାଣର ଲକ୍ଷ୍ୟ ନେଇ ଆଜି ବାରିପଦା ନିକଟସ୍ଥ ଜ୍ୟୋତିପୁର ଗ୍ରାମରେ ଇଣ୍ଟରନ୍ୟାସନାଲ ସନାତନ ଫାଉଣ୍ଡେସନ (ଆଇଏସଏଫ) ପକ୍ଷରୁ ଏକ ବୃକ୍ଷରୋପଣ ଓ ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିବେଶ ସଂରକ୍ଷଣ ସହିତ ଜୀବିକା ନିର୍ବାହ ତଥା ପାରିବାରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କୁ ପ୍ରାୟ ୫୦ଟି ଲେମ୍ବୁ, କମଳା ଏବଂ ପିଜୁଳି ଚାରା ବଣ୍ଟନ କରାଯିବା ସହ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆଇଏସଏଫର ସଭାପତି ଇଂ. ସୁବ୍ରତ କୁମାର ଦାଶ, ଅଧ୍ୟକ୍ଷ ଡ. ଜଗବନ୍ଧୁ ମିଶ୍ର, ସମ୍ପାଦକ ଶାନ୍ତନୁ ପାତ୍ର, ନିରଞ୍ଜନ ମହାନ୍ତି ଏବଂ ସୁଭମ ଦାଶଙ୍କ ସମେତ ଇନଫୋକ୍ରିଏଟିଭ୍ସ ସର୍ଭିସେସ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଇଂ. ସୌମ୍ୟରଞ୍ଜନ ମିଶ୍ର ତାଙ୍କ ଟିମ୍ ସଦସ୍ୟ ଜିପୁନ କୁମାର ଗିରି, ସିପୁନ ନନ୍ଦ ଏବଂ ସ୍ମୃତିରଞ୍ଜନ ସାହୁଙ୍କ ସହ ଉପସ୍ଥିତ ରହି ଫାଉଣ୍ଡେସନର ଏହି ଜନକଲ୍ୟାଣକାରୀ ପଦକ୍ଷେପକୁ ସମର୍ଥନ ଜଣାଇଥିଲେ।କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆଇଏସଏଫ ସଦସ୍ୟ ମାନେ ଗ୍ରାମବାସୀଙ୍କ ମଧ୍ୟରେ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିଲେ।

