ବାରିପଦା ,୧୨/୦୭(ପାଇକପୁଅ)କେବଳ ଭ୍ରମ ସଂଶୋଧନ ନୁହେଁ ବିଜ୍ଞାନସମ୍ମତ ଓ ମୌଳିକ ବିଷୟ ସନ୍ନିବେଶିତ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ଏଆଇଡିଏସଓ, ମୟୁରଭଞ୍ଜ ଜିଲ୍ଲା କମିଟି ଆନୁକୂଲ୍ୟରେ ଏକ କନଭେନସନ ବାରିପଦା ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଆଧାରରେ ରାଜ୍ୟ ବିଜେପି ସରକାର ଚଳିତ ବର୍ଷ ବ୍ୟାପକ ପ୍ରସ୍ତୁତି ନ ନେଇ ତରବରିଆ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ନୂତନ ପାଠ୍ୟପୁସ୍ତକ ଛାପିଲେ ତାହା ମାଳ ମାଳ ଭୁଲରେ ଭର୍ତ୍ତି । ତ୍ରୁଟିକୁ ସୁଧାରିବା ପାଇଁ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏକ ‘ସଂଶୋଧନ ଦଲିଲ’ ପ୍ରସ୍ତୁତ କରାଗଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହି ସଂଶୋଧନ ଦଲିଲରେ ମଧ୍ୟ ବ୍ୟାପକ ତ୍ରୁଟି ରହିଲା । ପୁଣି ଏବେ ଏହି ତ୍ରୁଟିକୁ ସଂଶୋଧନ କରି ଏସସିଇଆରଟି, ଓଡିଶା ପକ୍ଷରୁ ଗତ ୨ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇ ସର୍ବସାଧାରଣ ନିମନ୍ତେ ସୂଚନା ଦିଆଯାଇଛି ଯେ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକଗୁଡିକୁ ୱେବସାଇଟରେ ଦିଆଯାଇଛି ଏବଂ ସେହି ପୁସ୍ତକଗୁଡିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଜନସାଧାରଣ ସାତଦିନ ମଧ୍ଯରେ ଦେବେ। ଅସଲରେ ଏହି ଜନମତ ସଂଗ୍ରହ ଆଳରେ ସରକାର ଅବୈଜ୍ଞାନିକ ଓ ଅଯୌକ୍ତିକ ପାଠ୍ୟକ୍ରମ ପ୍ରଚଳନ କରିବାକୁ ଚକ୍ରାନ୍ତ କରୁଛନ୍ତି। ପ୍ରଥମତଃ ପାଠ୍ୟ ପୁସ୍ତକରେ ସଂଶୋଧନ କେବଳ କିଛି ବନାନଗତ ବା ବ୍ୟାକରଣଗତ କିମ୍ବା ତଥ୍ୟଭିତ୍ତିକ କରାଯିବ ସେତିକି ନୁହେଁ ଆହୁରି ମଧ୍ୟ ବିଜ୍ଞାନସମ୍ମତ, ଯୁକ୍ତିସଙ୍ଗତ ଏବଂ ମୌଳିକ ଧାରଣା ଭିତ୍ତିକ ବିଷୟବସ୍ତୁ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ଆବଶ୍ୟକ । ଏହା ଏତେ ଅଳ୍ପ ସମୟ ମଧ୍ୟରେ ସମ୍ଭବ ନୁହେଁ, ଏଥିପାଇଁ ବିଭିନ୍ନ ବିଷୟ ଭିତ୍ତିକ ବିଶେଷଜ୍ଞ, ଶିକ୍ଷାବିତ ଆବଶ୍ୟକ । କିନ୍ତୁ ସରକାର ଏ ସବୁ ବ୍ୟବସ୍ଥା ନ କରି ତ୍ରୁଟିର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେବା, କେଜିରୁ ପିଜି ପାଠ ମାଗଣା କରିବା, ଘରେ ଘରେ ଲକ୍ଷ୍ମୀ ପୁରାଣ ବାଣ୍ଟିବା ଆଦି କାର୍ଯ୍ୟକ୍ରମର ଭେଳିକି କରି ପିଲାଙ୍କୁ ମୂର୍ଖ କରିବା ପାଇଁ ଉଦ୍ଦିଷ୍ଟ ଏହି ଅବୈଜ୍ଞାନିକ, ଅଯୌକ୍ତିକ ପାଠ୍ୟକ୍ରମକୁ ହିଁ ଲଦି ଦେଉଛନ୍ତି। ଏପରିକି ଏଯାଏ ବହି ପ୍ରସ୍ତୁତ ହୋଇନି ଅଥଚ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୪ ଟି ପରୀକ୍ଷା କରିବେ ବୋଲି ଘୋଷଣା କରିଛନ୍ତି। ଏହି ପାଠ୍ୟକ୍ରମ ପ୍ରଚଳନ ଶିଶୁଙ୍କ ପାଠପଢ଼ାର ମୂଳଦୁଆକୁ ସମ୍ପୂର୍ଣ୍ଣ ଧ୍ଵଂସ କରିବ ବୋଲି ଏହି କନଭେନସନରେ ବକ୍ତାଗଣ ମତାମତ ରଖିଥିଲେ ଏବଂ କେବଳ ଭ୍ରମ ସଂଶୋଧନ ନୁହେଁ ବିଜ୍ଞାନସମ୍ମତ ଓ ମୌଳିକ ବିଷୟ ସନ୍ନିବେଶିତ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରାଯାଉ,ବିଷୟଭିତ୍ତିକ ବିଶେଷଜ୍ଞମାନଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇ ସେହି ବୋର୍ଡକୁ ପାଠ୍ୟପୁସ୍ତକ ଲେଖିବାର ଦାୟିତ୍ୱ ପ୍ରଦାନ କରି ତାଙ୍କ ନାମକୁ ସର୍ବସମ୍ମୁଖରେ ପ୍ରକାଶ କରାଯାଉ ,ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପ୍ରତ୍ୟାହାର କରି ପୁନର୍ଲିଖିତ ନୂତନ ବହି ମୁଦ୍ରଣ କରିବା,ତୁରନ୍ତ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦ କୁ ସଂପୂର୍ଣ୍ଣ ବାତିଲ କରାଯାଉ ବୋଲି ଦୃଢ଼ ଦାବି ଉପସ୍ଥାପନ କିଥିବାବେଳେକରିଥିଲେ।
ଏଆଇଡିଏସଓ , ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଫୁଲଚାନ୍ଦ ଲୋହାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଏଆଇଡିଏସଓ ଓଡିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରାଙ୍କ ସମେତ ସଂଗଠନର ଜିଲ୍ଲା ଅଫିସ ସମ୍ପାଦକ ଯତୀନ ବାନରା, ଜିଲ୍ଲା କମିଟି ସଦସ୍ୟ ଶିଙ୍ଗରାୟ ଦେଓଗାମ, ମାନସିଂ ହୋ, ଗୋବିନ୍ଦ ସିଂ,ତାପସ ବାନରା, ତାପସ ଲୋହାର୍ , ବିର୍ସା ଦାସ , ହରି ଥାୟାଲ ସମେତ ବିଶ୍ୱରଞ୍ଜନ ଗିରି ଗୋବିନ୍ଦ ଦାସ ସମେତ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଏହି କନଭେନସନରେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ ।

