ଭୁବନେଶ୍ୱର,୧୨/୦୭(ପାଇକପୁଅ) ରବୀନ୍ଦ୍ର ମଣ୍ଡପଠାରେ ଅତ୍ୟନ୍ତ ଆଡ଼ମ୍ବର ଓ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କାର ଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ, ସଙ୍ଗୀତ ନାଟକ ଏକାଡେମୀ ଛଉ କେନ୍ଦ୍ର (ଚନ୍ଦନକିଆରୀ, ବୋକାରୋ)ର ନିର୍ଦ୍ଦେଶକଡ଼ଃ ସଞ୍ଜୟ ଚୌଧୁରୀ, , ପଦ୍ମଶ୍ରୀ ଡ଼ଃ ଇଲିଆନା ସିତାରିଷ୍ଟି (ମୟୂରଭଞ୍ଜ ଛଉର ପ୍ରଖ୍ୟାତ ଗବେଷକ, ସାଧିକା), ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (INTACH)ର ଓଡ଼ିଶା ଚ୍ୟାପ୍ଟରର ସହ-ସଂଯୋଜକ ଶ୍ରୀ ଅନିଲ ଧୀର ଏବଂ ପ୍ରୋଜେକ୍ଟ ଛଉଣୀର ପ୍ରତିଷ୍ଠାତା ତଥା ପରିଚାଳନା ଟ୍ରଷ୍ଟି ଶ୍ରୀ ରାଜେଶ ପ୍ରଭାକର ପାଟିଲ (ଆଇଏଏସ୍) ଉପସ୍ଥିତ ଥିଲେ।
ଅତିଥିମାନେ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ମୟୂରଭଞ୍ଜ ଛଉର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପ୍ରୋଜେକ୍ଟ ଛଉଣୀ ଦ୍ୱାରା ଏହି ନୃତ୍ୟଧାରାର ବିକାଶ, ପ୍ରଚାର-ପ୍ରସାର ଏବଂ ଛଉ କଳାକାରମାନଙ୍କର ଜୀବନମାନ ଉନ୍ନତି ପାଇଁ କରାଯାଉଥିବା ନିରନ୍ତର ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରୋଜେକ୍ଟ ଛଉଣୀ ପ୍ରତିବର୍ଷ ଏହି ଉତ୍ସବର ଆୟୋଜନ କରି ମୟୂରଭଞ୍ଜ ଛଉର ପାରମ୍ପରିକ ଓ ସମସାମୟିକ ରୂପକୁ ସମର୍ପିତ ଏକ ନିଆରା ମଞ୍ଚ ସୃଷ୍ଟି କରିଆସୁଛି।
ଏହି ସାଂସ୍କୃତିକ ସନ୍ଧ୍ୟାର କ୍ୟୁରେସନ୍ ପ୍ରୋଜେକ୍ଟ ଛଉଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ସୁଭାଶ୍ରୀ ମୁଖାର୍ଜୀ କରିଥିଲେ। ପରିବେଷିତ ସମସ୍ତ ନୃତ୍ୟାନୁଷ୍ଠାନ ଭାରତୀୟ ପୁରାଣ ଓ କଳିଙ୍ଗର ଐତିହ୍ୟକୁ ଆଧାର କରି ଉପସ୍ଥାପିତ ହୋଇଥିଲା। ପ୍ରଥମ ପରିବେଷଣ ଥିଲା ‘ଚକ୍ରବ୍ୟୂହ’, ଯାହା ମହାଭାରତ ଆଧାରିତ ଏବଂ ପ୍ରୋଜେକ୍ଟ ଛଉଣୀର ବରିଷ୍ଠ କଳାକାରମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଦ୍ୱିତୀୟ ପରିବେଷଣ ‘ଦୁର୍ଗା–କାଳୀ’, କଲମ୍ବିଆର କାରୋଲିନା ପ୍ରାଡାଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ତୃତୀୟ ପରିବେଷଣ ‘ମଲ୍ଲିକାର୍ଜୁନ’, ବାବା କାଳା ମହାଦେବଦେବ ଛଉ ନୃତ୍ୟ ପ୍ରତିଷ୍ଠାନ, ଟିଖିଆ, ମୟୂରଭଞ୍ଜ ଦ୍ୱାରା ପରିବେଷିତ ହୋଇଥିଲା।
ଚତୁର୍ଥ ପରିବେଷଣ ‘ତ୍ର୍ୟମ୍ବକମ୍’, ଭଗବାନ ଶିବଙ୍କ ସୃଷ୍ଟି ଓ ସଂହାର ଶକ୍ତିକୁ ଆଧାର କରି ମୁମ୍ବାଇର ଅଜୟ ସିଂହ ରାଠୋର, କାଜଲ ଶର୍ମା ଏବଂ କାରୋଲିନା ପ୍ରାଡାଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା। ଶେଷ ପରିବେଷଣ କୋଣାର୍କ ସୂର୍ଯ୍ୟମନ୍ଦିର, ବିଶୁ ମହାରଣା, ଧର୍ମପଦ ଏବଂ ୧୨୦୦ ବଢ଼େଇଙ୍କ ଐତିହାସିକ କାହାଣୀକୁ ଆଧାର କରି ପ୍ରସ୍ତୁତ କରାଯାଇଥିଲା।
ଉତ୍କୃଷ୍ଟ ଓ ମନୋମୁଗ୍ଧକର ପରିବେଷଣ ଯୋଗୁଁ ସମଗ୍ର ସନ୍ଧ୍ୟାରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇ ରହିଥିଲେ ଏବଂ ରବୀନ୍ଦ୍ର ମଣ୍ଡପ ଦର୍ଶକରେ ପୂର୍ଣ୍ଣ ହୋଇଯାଇଥିଲା। ଶେଷରେ ପ୍ରୋଜେକ୍ଟ ଛଉଣୀର ଟ୍ରଷ୍ଟି ଶ୍ରୀ ବିଭୁଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

