ମାଲକାନଗିରି,୨୬/୦୩ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ୨୪ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ଆଜି ସକାଳୁ ମାଲକାନଗିରି ସହର ସମେତ ବାଲିମେଳା ସହରରେ ଗାଡି ମୋଟର ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।ମଣ୍ଡିରେ ଦୀର୍ଘ ଦିନ ଧରି ଧାନ ପଡି ରହିଥିବା ବେଳେ ତାହା ଉଠୁ ନାହିଁ। ଏଥିସହ ଗତ ୪ ଦିନର ସନ୍ଧ୍ୟା ସମୟର କାଳ ବୈଶାଖୀ ବର୍ଷାରେ ମଣ୍ଡି ଗୁଡିକ ରେ ଥିବା ଧାନ ଭିଜି ତାହା ଗଜା ରେ ପରିଣତ ହୋଇଯାଇଛି। ଏନେଇ ବିଧାନସଭାରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରଶ୍ନ କରିବା ସହ ଯଦି ମଣ୍ଡି ରେ ପଡି ରହିଥିବା ଧାନ ତୁରନ୍ତ ନ ଉଠାଯାଏ ତାହେଲେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସମଗ୍ର ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ। ଚିତ୍ରକୋଣ୍ଡା ବିଧାୟକଙ୍କ ଆହ୍ୱାନକ୍ରମେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ ଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ତେବେ ଅନ୍ୟ ଦାବି ଗୁଡିକ ମଧ୍ୟରେ ଚାଷୀ ଙ୍କୁ ୩ ବର୍ଷର ଖାଲି ବସ୍ତାର ଟଙ୍କା ଫେରାଇବା ଏବଂ ସିଲିଣ୍ଡର ଗ୍ୟାସ, ଡିଜେଲ ଓ ପେଟ୍ରୋଲ ଠିକ ସମୟରେ ଯୋଗାଇ ଦେବା କଂଗ୍ରେସ ଦାବି କରିଛି। ଆଜିର ଏହି ବନ୍ଦ ଡାକରାରେ ବାଲିମେଳା ସହରରେ ନଗର କଂଗ୍ରେସ ସଭାପତି ସୁରେଶ ଖୋସଲା, ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ରବି ହରିଜନ ଙ୍କ ସମେତ କଂଗ୍ରେସ ର ଅନ୍ୟ କର୍ମୀମାନେ ସାମିଲ ହୋଇଥିଲେ। ସେହିପରି ଜିଲ୍ଲା ସଦର ମହକୁମାରେ କଂଗ୍ରେସ ର ବହୁ ବରିଷ୍ଠ ନେତା ମାନେ ଏହି ବନ୍ଦ ଡ଼ାକରା ରେ ସାମିଲ ହୋଇ ସରକାର ବିରୋଧୀ ନାରା ଦେଇଥିଲେ। ତେବେ ଜରୁରୀକାଳୀନ ସେବା ଗୁଡିକୁ ବାଦ ଦେଇ ଏହି ବନ୍ଦ ଡାକରା ସଫଳ କରାଯାଇଛି।
