ଚମ୍ପୁଆ, ୨୫/୦୩(ପାଇକପୁଅ)ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ୍ ନାରଦପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଡ୍ୟାମ୍ ସାହିରେ ହୋ ସମାଜ ମୁଣ୍ଡା କମିଟି ଆନୁକୂଲ୍ୟରେ ଚାରିଦିନ ଧରି ହୋ ମୁଣ୍ଡା ସମାଜର ପାରମ୍ପରିକ ମାଗେ ପରବ ଅନୁଷ୍ଠିତ ହୋଇଯାଇଛି l ମାଗେ ପରବ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୋଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ଅଗନୁ ଚରଣ ମହାନ୍ତ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ବିଷୟରେ ବୁଝାଇ କହିଥିବା ବେଳେ ସମ୍ମାନିତ ଅତିଥି ଶିକ୍ଷା ସହିତ ଭାଇଚାରାର ହାତ ବଢ଼େଇ ସମସ୍ତେ ମିଳିମିଶି ରହିବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ଅତିଥି ମାନଙ୍କୁ କମିଟି ସଦସ୍ୟ ଓ ଗ୍ରାମବାସୀମାନେ ବନ୍ଦାପନା କରି ପାରମ୍ପରିକ ନାଚଗୀତ ତାଳେ ତାଳେ ମଞ୍ଚ ଉପରକୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମ ଦେହୁରୀ ସମସ୍ତ ରୀତିନୀତି ଅନୁସାରେ ପୂଜା କର୍ମ ସମାପନ କରିଥିଲେ । ସେଠାରେ ଆଦିବାସୀ ସମ୍ପ୍ରଦାୟର ପୁରୁଷ, ମହିଳା ମାନେ ପୂର୍ବର ରାଗରୁଷାକୁ ଭୁଲି ଏକତ୍ରିତ ଭାବେ କାନ୍ଧକୁ କାନ୍ଧ ମିଳାଇ ହାତକୁ ହାତ ଧରାଧରି ହୋଇ ନାଚ ଗୀତରେ ମଜି ଯାଇଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ହୋ ମୁଣ୍ଡା କମିଟିର ସଭାପତି ରାଜେନ୍ଦ୍ର କୁମାର ଜାମୁଦା, ଉପସଭାପତି ଡିବୁରୁ ମୁଣ୍ଡା, ସମ୍ପାଦକ ଗୋବିନ୍ଦ ମୁଣ୍ଡା, ସଦସ୍ୟ ରାମଚନ୍ଦ୍ର ମୁଣ୍ଡା, ତୁକା ଦାସ, ଖଗେଶ୍ବର ଦାସ, ରୋହିତ ମୁଣ୍ଡା, ମିଥୁନ ମୁଣ୍ଡା ଓ ଗୋବିନ୍ଦା ନାଏକଙ୍କ ଦ୍ୱାରା ପରିଚାଳିତ ହୋଇଥିବାର ଦେଖିବାକୁ ମିଳିଥିଲା ।
