ମାଲକାନଗିରି,୨୮/୦୨ (ସୁଧାଂଶୁ ଶେଖର ମହାନ୍ତି)ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ସ୍କୁଲ ପରିଚାଳନା କମିଟି ବୈଠକରେ ବସି ଆପୋଷ ବୁଝାମଣା ହୋଇଯାଇଥିବା କୁହାଯାଉଛି। ଘଟଣା ବାହାରେ ପ୍ରଘଟ ହେଲେ ସମସ୍ୟା ଉପୁଜିବ ବୋଲି ଛାତ୍ରୀଙ୍କ ମା ଏବଂ ଜେଜେମା’ଙ୍କ ସମେତ ଗ୍ରାମର ୪ ବ୍ୟକ୍ତିଙ୍କୁ ଡାକି ଆପୋଷ ଆଲୋଚନା ମାଧ୍ୟମରେ ଘଟଣାଟିକୁ ଚପେଇବାକୁ ପ୍ରୟାସ ଏବେ ବାହାରେ ଦାଣ୍ଡରେ ପଡି କଥାଟି ହାଟରେ ଗଡୁଛି । ଏଭଳି ସାଂଘାତିକ ଘଟଣାଟିକୁ ଚାପି ଦେବାକୁ ଉଦ୍ୟମ ଜାରି ରଖିଥିବା ସ୍କୁଲ ପରିଚାଳନା କମିଟି ସଭାପତି, ସିଆରସିସି ଏବଂ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅଭିଯୋଗ ହେଉଛି। ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ଶିକ୍ଷା ବିଭାଗ ଅନ୍ତର୍ଗତ ଏମଭି-୫୧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ସ୍କୁଲର କନିଷ୍ଠ ଶିକ୍ଷକ ରାକେଶ ସାହୁ ଆଜିକୁ ଦୀର୍ଘ ୮ ମାସ ଧରି ଉକ୍ତ ସ୍କୁଲର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରି ଆସୁଥିଲେ। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି କିମ୍ବା ଗ୍ରାମବାସୀଙ୍କ ନିକଟରେ କୌଣସି ସୂଚନା ନଥିବା ବେଳେ ପୁନର୍ବାର ଗତ ୨ ଦିନ ତଳେ ଶିକ୍ଷକ ଜଣଙ୍କ ସେହି ଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଛାତ୍ରୀ ଜଣଙ୍କ ନିଜ ମାଙ୍କୁ ଅସଦାଚରଣ ସମ୍ପର୍କରେ କହିଥିଲା। ଏହି ଖବର ଗ୍ରାମବାସୀଙ୍କ ମଧ୍ୟରେ ପ୍ରଘଟ ହେବା ପରେ ଗ୍ରାମର କିଛି ବ୍ୟକ୍ତି ଉକ୍ତ ଛାତ୍ରୀଙ୍କ ଘରକୁ ଯାଇ ଘଟଣା ସମ୍ବନ୍ଧରେ ଟିକିନିଖି ବୁଝିଥିଲେ। ପରେ ଏନେଇ ଶୁକ୍ରବାର ସ୍କୁଲ ଖୋଲିବା ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଠାକୁର ଦାସ ମାଝୀଙ୍କ ନେତୃତ୍ୱରେ ଏକ ବୈଠକ ଡକା ଯାଇଥିଲା। ଉକ୍ତ ବୈଠକରେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀଙ୍କ ମା ଏବଂ ଜେଜେମାଙ୍କୁ ଡାକି ଆପୋଷ ବୁଝାମଣା କରାଯିବା ସହ ଘଟଣାକୁ ଆଉ ଆଗକୁ ନ ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଯେଉଁ ଛାତ୍ରୀ ଜଣଙ୍କ ଶାରୀରିକ ଏବଂ ମାନସିକ ସ୍ତରରେ ଗଭୀର ଆଘାତ ପାଇଛି। ଛାତ୍ରୀଙ୍କ ମାନସିକ କ୍ଷତିର ଭରଣପୋଷଣ କିପରି ହେବ ବୋଲି ଗାଁର ଛକ ଛକରେ ଚର୍ଚ୍ଚା। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତି ରେଖା ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଆମ ଫୋନ କାଟି ସଙ୍ଗେ ସଙ୍ଗେ ନିଜ ଫୋନ ଟିକୁ ସ୍ୱିଚ ଅଫ କରିଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଠାକୁର ଦାସ ମାଝୀଙ୍କୁ ପଚାରିବାରୁ ଆମେ ଉକ୍ତ ଛାତ୍ରୀଙ୍କ ମା ଜେଜେମା ଏବଂ ଗ୍ରାମର ୪ ଜଣଙ୍କୁ ଡାକି ଆମେ ଆପୋଷ ବୁଝାମଣା କରି ଦେଇଛୁ ବୋଲି କହିଥିଲେ। ଏନେଇ ଆମେ ଉକ୍ତ ଅଞ୍ଚଳର ଦାୟିତ୍ବରେ ଥିବା ସିଆରସିସି ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଘଟଣାଟି ୪ ମାସ ତଳର ହୋଇଥିବା କହି ଏବେ କାହିଁକି ପୁନଃ ଗ୍ରାମବାସୀ ଏହି ଘଟଣା ବାହାରେ ପ୍ରକାଶ କରୁଥିବା ଓଲଟି କହିଥିଲେ। ଏନେଇ ଆମେ ଗ୍ରାମ ସଭାପତି ପରିତୋଷ ସାହାଙ୍କୁ ପଚାରିବାରୁ ସେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା, ଗୁରୁ ଶିଷ୍ୟର ସମ୍ପର୍କ ପବିତ୍ର ଅଟେ। ଶିକ୍ଷକ ଜଣଙ୍କ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସତ କିନ୍ତୁ ଗ୍ରାମବାସୀ ଏବଂ ସ୍କୁଲ କତ୍ତୃପକ୍ଷ ଆପୋଷ ବୁଝାମଣା ହେବା ପରେ ସେ ଆଉ କଣ କହିବେ ବୋଲି ମତ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଏନେଇ ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀଙ୍କୁ ପଚାରିବାରୁ ସେହି କନିଷ୍ଠ ଶିକ୍ଷକଟି ନୂଆ କରି ଚାକିରୀ ପାଇଛି। ଯଦି ଏହି ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇବ ତେବେ ଶିକ୍ଷକଙ୍କର ଚାକିରୀ ଚାଲିଯିବ। ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ କିଛି ବୁଝାମଣା କରି ହାତଗୁଂଜା ନେଇ ଘଟଣା ଟିକୁ ଚାପି ଦେବାକୁ ସେ କହିଥିଲେ। ଏନେଇ ଆମେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସେ ଏନେଇ ବର୍ତ୍ତମାନ ସୁଦ୍ଧା ଅବଗତ ନାହାନ୍ତି। ଯେହେତୁ ଛାତ୍ରୀଟିର ପରିବାର ବର୍ଗ କୌଣସି ଅଭିଯୋଗ କରିନାହାନ୍ତି ତେଣୁ ସେ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଗଣମାଧ୍ୟମକୁ ଓଲଟି ପ୍ରଶ୍ନ କରିଥିଲେ। ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଉକ୍ତ କନିଷ୍ଠ ଶିକ୍ଷକ ଶ୍ରୀ ସାହୁଙ୍କ ଚାକିରୀ ବଞ୍ଚାଇବାକୁ ବ୍ଳକ ଶିକ୍ଷାଧିକାରୀ ଏତେ ଆଗ୍ରହ କାହିଁକି। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମିସ୍ତ୍ରୀଙ୍କ ସହ ଉକ୍ତ କନିଷ୍ଠ ଶିକ୍ଷକଙ୍କ ସମ୍ପର୍କ ମଧ୍ୟରେ ରହସ୍ୟ କଣ ବୋଲି ଚର୍ଚ୍ଚା ହେଉଛି। ବ୍ଲକ ଶିକ୍ଷାଧିକାରୀଙ୍କ ଏପରି ମନ୍ତବ୍ୟକୁ ନେଇ ଅଞ୍ଚଳବାସୀ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି। କନିଷ୍ଠ ଶିକ୍ଷକ ଶ୍ରୀସାହୁଙ୍କ ଏପରି କାଣ୍ଡକୁ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏଥିସହ ଜିଲ୍ଲା ପ୍ରଶାସନ ଏବଂ ଶିଶୁ ସୁରକ୍ଷା ବିଭାଗ ଏହି ଘଟଣାକୁ ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
