କୋଣାର୍କ, ୨୬/୦୨(ପାଇକପୁଅ) କୋଣାର୍କ ଏନଏସି ଅଧୀନସ୍ଥ ୪ନଂ ଓ୍ବାର୍ଡ କରମଙ୍ଗା ବାଲିସାହିର ଏକ ବାଉଁଶ ବୁଦା ମୂଳରେ ମରି ପଡିଥିବା ଏକ ହରିଣର ମୃତ ଦେହକୁ କୋଣାର୍କ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଖବରରୁ ପ୍ରକାଶ ଯେ, କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ହରିଣ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ଦିନରେ ଖାଦ୍ୟ ଅନ୍ଯେଷଣରେ ଆସି ହରିଣମାନେ ଶିକାରୀ, ବୁଲା କୁକୁର ଓ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ନଜିର ରହିଛି। କୋଣାର୍କ ଏନଏସି ବାଲିସାହିର ଏକ ବାଉଁଶ ବୁଦା ମୂଳରେ ଏକ ହରିଣ ମରି ପଡିଥିଲା ବେଳେ ଗୁରୁବାର ସକାଳେ ସ୍ଥାନୀୟ ଅଂଚଳର ଲୋକମାନେ କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କୁ ଅବଗତ କରାଇଥିଲେ। ଖବର ପାଇ କୋଣାର୍କ ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ କୋଣାର୍କ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ମୃତ ହରିଣଟିର ଶବ ବ୍ୟବଚ୍ଛେଦ କରି ମାଟିରେ ପୋତି ଦେଇଥିଲେ। ଏ ସଂପର୍କରେ କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କୁ ପଚାରିବାରେ ସେ କୁହନ୍ତି ମୃତ ହରିଣଟିର ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହରିଣ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି।
