ମାଲକାନଗିରି,୧୫/୦୨ (ସୁଧାଂଶୁ ଶେଖର ମହାନ୍ତି)ଓଡ଼ିଶା ଜଳ ବିଦ୍ୟୁତ କେନ୍ଦ୍ର ବା ଓଏଚପିସି ସୀମା ପାଚେରୀ ଆଢ଼ୁଆଳରେ ହଜିଯିବ କି ରଣାବାଇ କ୍ୟାମ୍ପ-୨ ଗାଁ। ଅଣଆନୁଷ୍ଠାନିକ ଭାବେ ବିଭାଗୀୟ ଅଧିକାରୀଙ୍କ ଚେତାବନୀ ପରେ ଗ୍ରାମବାସୀ ଏବେ ଆତଙ୍କିତ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଓ୍ବାର୍ଡ ନଂ ୧୨ର ରଣାବାଇ କ୍ୟାମ୍ପ-୨ ଗାଁରେ ଦେଖିବାକୁ ମିଳିଛି। ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ଏହି ଗାଁରେ ବସବାସ କରି ଆସୁଥିବା ପାଞ୍ଚ ପରିବାର ସଦସ୍ୟ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏପଟେ ପରିବାର ଦାରିଦ୍ର୍ୟତାର ବୋଝ ଉପରେ ବିସ୍ଥାପନ ଭୟର ନଳିତା ବିଡା, ଜୀବନକୁ ଦୁର୍ବିସହ କରିଦେଇଛି। ଦିନେ ଯେଉଁ ପରିବାରର ପୂର୍ବ ପୁରୁଷ ମାନେ ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ବେଳେ ମାଟି ବନ୍ଧ ଯୋଜନାରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟି ପକାଇଥିଲେ। ଆଜି ସେହି ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ସୀମା ପାଚେରୀ ପଛ ପଟରେ ହଜି ଯିବାକୁ ବସିଛି।ଜେଜେ ବାପା ଅମଳରୁ ଏଠାରେ ରହି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଭାବରେ ବର୍ଷ ବର୍ଷ ଧରି ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳ କାର୍ଯ୍ୟାଳୟରେ ହୋଲ୍ଡିଂ ଟ୍ୟାକ୍ସ ବାନ୍ଧି ଆସୁଛନ୍ତି। ଯଦି ଏଠାରେ ଓଏଚପିସି ସୀମା ପାଚେରୀ ନିର୍ମାଣ କରାଯାଏ ତେବେ ଏହି ପାଞ୍ଚଟି ପରିବାର ପ୍ରାୟ ୨୧ ଜଣ ଦିନ ମଜୁରିଆ ସଦସ୍ୟ ପାଚେରୀ ମଧ୍ୟରେ ଆବଦ୍ଧ ହୋଇ ରହିଯିବେ ବୋଲି ଗାଁର ପର୍ଶୁରାମ ଖରା , ବିଦ୍ୟା ଭତ୍ରା ,ମାଧବ ମାଝୀ , ଚାଣ୍ଡାଳ ମାଝି , ସୁମଣି ଭତ୍ରା , ଭଗବତୀ ଖରା , ସମାରି ମାଝୀ ,ପଦ୍ମା ମାଝି ,ତୁଳସା ସେଠୀ କହିଛନ୍ତି। ଏଣୁ ଏ ସମ୍ପର୍କରେ ଓଏଚପିସି ମୁଖ୍ୟ ସାଧାରଣ ପରିଚାଳକ ଦିଲ୍ଲିପ କୁମାର ସ୍ୱାଇଁଙ୍କୁ ପଚାରିବାରୁ ସୋଲାର ପ୍ରୋଜେକ୍ଟ ନିମନ୍ତେ ରାଜସ୍ୱ ବିଭାଗ ଦ୍ଵାରା ଆମ ବିଭାଗକୁ ଦେଇଥିବା ଅଧିକାର ନଥିପତ୍ର ଅନୁଯାୟୀ ସୀମା ପାଚେରୀ ନିର୍ମାଣ କରାଯାଉଛି। ଓଏଚପିସି ପକ୍ଷରୁ କାହାରିକୁ ବିସ୍ଥାପନ ପାଇଁ କିଛି କୁହାଯାଇନାହିଁ ବୋଲି କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେତେବେଳେ ସୋଲାର ପ୍ରୋଜେକ୍ଟର ପରିକଳ୍ପନା କରାଗଲା ଅଧିକାରୀ ମାନେ ସ୍ଥାନ ନିରୂପଣ ସମୟରେ ଏହି ଗାଁକୁ ଦୃଷ୍ଟି ଦେଲେ ନାହିଁ କାହିଁକି! ରାଜସ୍ବ ବିଭାଗ ଓଏଚପିସିକୁ ଅଧିକାର ନଥିପତ୍ର ପ୍ରଦାନ ପୂର୍ବରୁ ଉକ୍ତ ଗାଁ ସମ୍ପର୍କରେ କୌଣସି ବିକଳ୍ପ ଯୋଜନା କରିନଥିବା ଜଣାପଡିଛି। ତେବେ ଏନେଇ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡାଙ୍କୁ ପଚାରିବାରୁ ଯଦି ଏପରି କିଛି ଲିଖିତ ଅଭିଯୋଗ ଆମ ପାଖକୁ ଆସେ ତେବେ ତାହାର ସତ୍ୟାସତ୍ୟ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ସେପଟେ ଆମେ କାହୁଁ କେଉଁ କାଳରୁ ଏଠାରେ ରହି ଆସୁଛୁ। ଏବେ ଯିବୁ କୁଆଡ଼େ ବୋଲି ଗ୍ରାମବାସୀ ଓଲଟି ପ୍ରଶ୍ନ କରିଛନ୍ତି। ଜିଲ୍ଲା ପ୍ରଶାସନ ଜାଗା ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
