ବାରିପଦା,୧୧/୦୨(ପାଇକପୁଅ)ଉତ୍କଳ କାରାଟେ ସ୍କୁଲ, ଭୁବନେଶ୍ୱର ପରିସରରେ ଓଡିଶା ଶକ୍ତି ଉତ୍ତୋଳନ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୨ ତମ ରାଜ୍ୟ ଶକ୍ତି ଉତ୍ତୋଳନ ଚମ୍ପିୟାନସିପରେ ଓଡିଶା ପୋଲିସ, ମୟୁରଭଞ୍ଜର ରୁପାଲୀ ପଲେଇ ସ୍ବର୍ଣ୍ଣ ପଦକ ହାସଲ କରି ନିଜ ବିଭାଗ ସହିତ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ମୋରଡା ବ୍ଲକ ଅନ୍ତର୍ଗତ ସୁରେଇଦିହି ଗ୍ରାମ ନିବାସୀ ସୋମନାଥ ପଲେଇ ଓ ସେବତୀ ପଲେଇଙ୍କ ସୁପୁତ୍ରୀ ରୁପାଲୀ ପାଠ ପଢିବା ସହ ଶକ୍ତି ଉତ୍ତୋଳନ ପ୍ରତି ଆକୃଷ୍ଟ ହୋଇଥିଲେ। ପରବର୍ତ୍ତୀ ସମୟରେ ନିଜ ପ୍ରଚେଷ୍ଟାରେ ଓ କଠୋର ପରିଶ୍ରମ ବଳରେ ସେ ରାଜ୍ୟ ଏବଂ ଜାତୀୟ ସ୍ତରରେ ବହୁବାର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିବାହ ପରେ ଏବଂ ପୋଲିସ ବିଭାଗରେ କାର୍ଯ୍ୟ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ପୁଣି ଥରେ ଏ ବର୍ଷ ସ୍ବର୍ଣ୍ଣ ପଦକ ହାସଲ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବର୍ତ୍ତମାନ ସେ ଜିଲ୍ଲା କ୍ରୀଡା ବିଭାଗରେ କୋଚ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଖବର ପାଇ ପୋଲିସ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ପୋଲିସ ଆର ଆଇ ଆଲୋକ କୁମାର କାନୁନଗୋ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ଶୁଭାଶିଷ ନାୟକ, କୋଚ ଅବନୀ ମହାନ୍ତି ଓ ପୋଲିସ ସଙ୍ଘର କର୍ମକର୍ତ୍ତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
