ଭୁବନେଶ୍ୱର, ୦୮/ ୧୦(ପାଇକପୁଅ): ପବ୍ଲିକ ସର୍ଭିସ ପରୀକ୍ଷା ପାଇଁ ଇଚ୍ଛୁକ ଥିବା କିଟ୍ କିସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାଗର୍ଦର୍ଶନ ଓ ମେଣ୍ଟରିଂ ପ୍ରଦାନ ଲକ୍ଷ୍ୟରେ କିଟ୍ ଆଇଏଏସ୍ ଏକାଡେମୀ (କିଆସା) ଶୁଭାରମ୍ଭ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷା ସହ ପବ୍ଲିକ ସର୍ଭିସ ପରୀକ୍ଷା ପାଇଁ ଇଚ୍ଛୁକ ପିଲାଙ୍କୁ ହାତ ପାଆନ୍ତାରେ ବିନାଦେୟରେ କୋଚିଂ ଯୋଗାଇ ଦେବା ନିମନ୍ତେ ଶ୍ରୀ ସାମନ୍ତ ଦୀର୍ଘ ଦିନ ଧରି ପ୍ରୟାସ କରି ଆସୁଥିଲେ।
କିଆସାକୁ ଉଦ୍ଘାଟନ କରି ଶ୍ରୀ ସାମନ୍ତ କହିଲେ, ପବ୍ଲିକ ସର୍ଭିସ୍ ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରାର୍ଥୀମାନଙ୍କୁ ଉତ୍ତମ ମାଗର୍ଦର୍ଶନ ଓ ପ୍ରସ୍ତୁତି ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହି ଏକାଡେମୀ ପ୍ରତିଷ୍ଠା କରାଯାଇଛି। କିଟ୍ ଓ କିସ୍ ପରିବାରର ପବ୍ଲିକ ସର୍ଭିସ୍ରେ ଯୋଗଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ, ପ୍ରଶିକ୍ଷଣ ଓ ମେଣ୍ଟରିଂ ପାଇଁ କିଆସା ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରିବ। ଗୁଣାତ୍ମକ ମାର୍ଗଦର୍ଶନ ପାଇଁ ଛାତ୍ରଛାତ୍ରୀମାନେ ପାରଂପରିକ ଭାବେ ଓଡ଼ିଶା ବାହାରକୁ ଯାଇ ସିଭିଲ୍ ସର୍ଭିସ୍ ପ୍ରସ୍ତୁତି ନେଉଥିଲେ। କିଆସା ଶୁଭାରମ୍ଭ ହେବା ଫଳରେ ଏବେ ସେମାନେ ଘର ନିକଟରେ ଏଭଳି ସୁବିଧା ପାଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସିଆଇଏସ୍ଏଫ୍ ଆଇଜି ଶିବ କୁମାର ମୋହାଙ୍କା ଯୋଗଦେଇ ଏହି ପଦକ୍ଷେପକୁ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ବର୍ଣ୍ଣନା କରିଥିଲେ। ସେ କହିଲେ, ସାଧାରଣତଃ ବିଶ୍ୱବିଦ୍ୟାଳୟଗୁଡ଼ିକ ଦକ୍ଷତାର ପ୍ରମାଣପତ୍ର ପ୍ରଦାନ କରିଥାନ୍ତି। ମାତ୍ର କିଆସା ଭଳି ପଦକ୍ଷେପ ପାରଂପରିକ ଶିକ୍ଷାର ସୀମା ଅତିକ୍ରମ କରି ଯୁବପିଢ଼ିଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବ।
କିଟ ସ୍କୁଲ ଅଫ ପବ୍ଲିକ ପଲିସି (କେଏସ୍ପିପି)ର ନିର୍ଦ୍ଦେଶକ ତଥା କିଆସା ବିଭାଗୀୟ ମୁଖ୍ୟ ବିମ୍ବାଧର ପ୍ରଧାନ କହିଲେ, ଏହି ଏକାଡେମୀ ଅଞ୍ଚଳରେ ପବ୍ଲିକ ସର୍ଭିସ୍ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ ପ୍ରତିଷ୍ଠାନଭିତ୍ତିକ ମଞ୍ଚ ସୃଷ୍ଟି କରିବାର ସ୍ୱପ୍ନକୁ ସାକାର କରିଛି । ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଓ ମାନବିକତା ମାଧ୍ୟମରେ ସମାଜର ବଞ୍ଚିତ ବର୍ଗଙ୍କୁ ସଶକ୍ତ କରିବା ପାଇଁ କିଟ୍ ନିରନ୍ତର ଭାବେ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିଆସିଛି ବୋଲି ସେ କହିଥିଲେ ।
ଟିଆଇସିଏସ୍ ଏଡୁୱାର୍ଲ୍ଡ ଏଲ୍ଏଲ୍ପିର ନିର୍ଦ୍ଦେଶକ ଚନ୍ଦ୍ରଶେଖର ଯାଦବ ମଧ୍ୟ ଏହି ଅବସରରେ ଉଦ୍ବୋଧନ ଦେଇଥିଲେ । ଏହି ପଦକ୍ଷେପର ଅଂଶ ଭାବେ କିଟ୍ ଟିଆଇସିଏସ୍ ଏଡୁୱାର୍ଲ୍ଡ ଏଲ୍ଏଲ୍ପି ସହ ଭାଗୀଦାରି କରିଛି। ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦ୍ୟୋପାଧ୍ୟାୟ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ।

