ମାଲକାନଗିରି,୦୮/୦୨ (ସୁଧାଂଶୁ ଶେଖର ମହାନ୍ତି)ରାଜ୍ୟ ସରକାର ବିକାଶର ଡିଣ୍ଡୁମ ପିଟୁଥିବା ବେଳେ ଏଠି ସହରାଞ୍ଚଳରେ ହୋଇପାରୁନି ରାସ୍ତା ନିର୍ମାଣ, ସବୁ ଜାଣି ଚୁପ ରହୁଛି ଏନଏସି ପ୍ରଶାସନ, ଶେଷରେ ବାଧ୍ୟହୋଇ ରାସ୍ତା ନିର୍ମାଣ କରୁଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ। ସହରର ୧୦ ନଂ ୱାର୍ଡ ସ୍ଥିତ ନୁଆଁଗାଁ ନିକଟରେ ଥିବା ମାଳି ସାହି, ଆଜିକୁ ୪୦ ବର୍ଷ ହେବ ହୋଇପାରୁନି ରାସ୍ତା ନିର୍ମାଣ। ରାସ୍ତା ଟିଏ ନଥିବା ହେତୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଗ୍ରାମ ଯାଇ ପହଁଚି ପାରୁନାହିଁ। ଗତ କିଛି ମାସ ତଳେ ଏହି ସାହିର ଜଣେ ବୃଦ୍ଧା ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଆମ୍ବୁଲାନ୍ସ ଠିକ ସମୟରେ ନ ପହଁଚିବାରୁ ସେ ମୃତ୍ୟବରଣ କରିଥିଲେ। ଇତି ମଧ୍ୟରେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି। ଶେଷରେ ବାଧ୍ୟହୋଇ ନିଜ ୱାର୍ଡରେ ବସବାସ କରୁଥିବା କାଉନସିଲର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ଏବଂ ଗ୍ରାମବାସୀ ଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣି ଆଉ ନିଜେ ସହ୍ୟ କରି ନ ପାରି ନିଜ ଖର୍ଚ୍ଚରେ ମାଟି ରାସ୍ତା ନିର୍ମାଣ କଲେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ। କାଉନସିଲର ଶ୍ରୀ ପଟ୍ଟନାୟକ ବିଭିନ୍ନ ସମୟରେ ଏପରି ଜନ ମଙ୍ଗଳକାରୀ କାର୍ଯ୍ୟ କରି ସାଧାରଣରେ ପ୍ରଶଂସା ର ପାତ୍ର ପାଲଟିଥିବା ବେଳେ ଆଜି ପୁଣି ନିଜ ଅଞ୍ଚଳର ଏହି ରାସ୍ତା ନିର୍ମାଣ କରି ସେ ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଗ୍ରାମବାସୀ ଙ୍କ କହିବାନୁଯାୟୀ ରାସ୍ତା ନଥିବାରୁ ସେମାନେ ବର୍ଷା ହେଲେ ବହୁ ସମସ୍ୟା ର ସମ୍ମୁଖୀନ ହେବା ସହ ପାହାଡ଼ ତଳିଆ ଏହି ଗ୍ରାମଟି ରହିଥିବା ହେତୁ ନିଜ ଗ୍ରାମ ମଧ୍ୟକୁ ବର୍ଷା ଜଳ ମାଡି ଆସେ। ତେଣୁ କାଉନସିଲର ଶ୍ରୀ ପଟ୍ଟନାୟକ ଏହି ରାସ୍ତା ନିର୍ମାଣ କରିବା ଦ୍ୱାରା ବର୍ତ୍ତମାନ ସେମାନଙ୍କ ଗ୍ରାମକୁ ଆମ୍ବୁଲାନ୍ସ ଟିଏ ଆସିପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଏଥିସହ ଗ୍ରାମର ଲକ୍ଷ୍ମୀ ଖୋସଲା, ଯୋସଦା ଖୋସଲା, ଯାଂଝି ଖିଲ, ବନ୍ଧୁ ମାଳି, ବନ ମାଳି, ସୁବରନା ପାଙ୍ଗି, ଲକ୍ଷ୍ମୀ ମାଳି, କମଲୋଚନ ଖୋସଲା, ପଦ୍ମନି ଖୋସଲା, ମଇନା ଖୋସଲା, ମୋଟୀ ଖୋସଲା, ସୁଭଦ୍ରା ଖରା ଙ୍କ ସମେତ ଅନ୍ୟ ଗ୍ରାମବାସୀ କାଉନସିଲର ଶ୍ରୀ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ଆଗକୁ ବର୍ଷା ଦିନ ଆସୁଥିବା ହେତୁ ତୁରନ୍ତ ସେମାନଙ୍କ ଗ୍ରାମରେ ସିମେଣ୍ଟ କଂକ୍ରିଟ ରାସ୍ତା ସହ ଡ୍ରେନ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

