ମାଲକାନଗିରି,୦୭/୦୨ (ସୁଧାଂଶୁ ଶେଖର ମହାନ୍ତି)ମିଳୁନି ବେତନ, ତଥାପି ନିଜର କାର୍ଯ୍ୟ ଜାରି ରଖିଛନ୍ତି ବାହାଦୂର। ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜିକୁ ଦୀର୍ଘ ବର୍ଷ ଧରି ରାତ୍ର ସମୟରେ ସହରର ସୁରକ୍ଷା ନିମନ୍ତେ ପହରା ଦେଉଛନ୍ତି ଗୋବିନ୍ଦ ବାହାଦୂର। ସେ ନେପାଳ ଦେଶ ର ଧନଗଡି ଗ୍ରାମର ହୋଇଥିବା ବେଳେ ତାଙ୍କର ପୂର୍ବ ପୀଢ଼ି ଏହି ସହରକୁ ସାରା ରାତି ନ ଶୋଇ ଏ ଗଳି ରୁ ସେ ଗଳି କୁ ବୁଲି ପହରା ଦେଇ ଆସୁଛନ୍ତି। ତେଣୁ ଆଜି ମଧ୍ୟ ସେ ନିଜର ଏହି ଅହରାତ୍ର ପହରା ଦେବା ଡ୍ୟୁଟି ଜାରି ରଖିଛନ୍ତି। ନା ତାଙ୍କୁ ମିଳୁଛି ପ୍ରଶାସନ ପକ୍ଷରୁ କୌଣସି ବେତନ ନା ମିଳୁଛି ତାଙ୍କୁ କିଛି ସରକାରୀ ପ୍ରୋତ୍ସାହନ। କିନ୍ତୁ ତଥାପି ସେ ନ ହାରି ନିଜର ଡ୍ୟୁଟି ଜାରି ରଖିଛନ୍ତି। ଏହି ବାହାଦୂର ଜଣଙ୍କ କେବଳ ସାହି ସାହି ବୁଲି ଏ ଘରୁ ସେ ଘରୁ ଦଶ କୋଡ଼ିଏ ଟଙ୍କା ସଂଗ୍ରହ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ରାତି ହେଲେ ନିଜର ଖାକି ପୋଷାକ ପିନ୍ଧି ଏକ ହୁଈସିଲ ଧରି ବାହାରି ପଡନ୍ତି ସହରକୁ ସୁରକ୍ଷା ଦେବା କାର୍ଯ୍ୟରେ। ମଧ୍ୟରାତ୍ରରେ ନିଜର ଡ୍ୟୁଟି ବେଳେ ବିଭିନ୍ନ ସମୟରେ ଲୋକଙ୍କୁ ଘରୁ ଚୋରି କରିବାକୁ ଯାଇଥିବା ଚୋରର ସମସ୍ତ ପ୍ଲାନ ମଧ୍ୟ ଫସର ଫଟାଇ ଦେଇଥିବା ସେ କହିଛନ୍ତି। କିନ୍ତୁ ନିଜର ସୁରକ୍ଷା ନିମନ୍ତେ ତାଙ୍କ ପାଖରେ ନା ଅଛି ବନ୍ଧୁକ, ନା ଅଛି ଲାଠି। ତଥାପି ସେ ଭୟ କୁ ଖାତିର ନ କରି ନିଜର ସାହାସିକତା ର ପରିଚୟ ବହୁ ସମୟରେ ଦେଇଛନ୍ତି। ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ଆର୍ଥିକ ସହାୟତା ତାଙ୍କୁ ପ୍ରଦାନ କରାଯାଉନାହିଁ। ଯଦି ଏନଏସି ପକ୍ଷରୁ ଉକ୍ତ ବାହାଦୂର ଙ୍କୁ ପ୍ରତ୍ୟେକ ମାସରେ ବେତନ ବାବଦକୁ କିଛି ଅର୍ଥରାଶି ଦିଆ ଯାଆନ୍ତା ତାହେଲେ ସେ ନିଜର ପରିବାର ପ୍ରତିପୋଷଣ ଖୁବ ସହଜରେ କରିପାରନ୍ତେ ବୋଲି ସ୍ଥାନୀୟରେ ମତ ପ୍ରକାଶ ପାଉଛି। ତେଣୁ ତୁରନ୍ତ ତାଙ୍କର ବେତନ ବାବଦ କୁ କିଛି ଅର୍ଥରାଶି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଦାନ କରିବାକୁ ସହରବାସୀ ଦାବି କରିଛନ୍ତି।
