ମାଲକାନଗିରି,୦୨/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷା ଅନ୍ତର୍ଗତ ଚିତାପାରୀ-୪ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ହରିପ୍ରିୟା ପାଢ଼ୀ ଙ୍କୁ ବିଦ୍ୟାଳୟ ଏବଂ ଗ୍ରାମବାସୀ ଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶିକ୍ଷୟତ୍ରୀ ଶ୍ରୀମତୀ ପାଢ଼ୀ ଦୀର୍ଘ ୨ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେବ ଏହି ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ ପିଲାମାନଙ୍କୁ ପାଠ ପଢ଼ାଇ ଆସୁଥିଲେ। ତାଙ୍କର ପାଠ ପଢା ଶୈଳୀ ଟିକେ ଭିନ୍ନ ହେତୁ ବହୁ ପିଲାମାନେ ସ୍କୁଲ ମୁଁହା ମଧ୍ୟ ହୋଇଥିଲେ। ତେଣୁ ତାଙ୍କର ଅବସରରେ ଗ୍ରାମବାସୀ ବାଜା ବଜାଇ ଢେମ୍ସା ନୃତ୍ୟ ମାଧ୍ୟମରେ ସମଗ୍ର ଗ୍ରାମ ପରିକ୍ରମା କରି ଶିକ୍ଷୟତ୍ରୀ ଙ୍କୁ ବିଦ୍ୟାଳୟ କୁ ପାଛୋଟି ନେଇଥିଲେ। ସେ ଅତି ମେଳାପୀ, ପରୋପକାରୀ ସ୍ଵଭାଵ ର ହୋଇଥିବା ହେତୁ ସର୍ବଦା ସେ ଗ୍ରାମବାସୀ ଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ନନ୍ଦିନୀ ତ୍ରିପାଠୀ, ଶିକ୍ଷକ ରଞ୍ଜନ କୁମାର ପଣ୍ଡା, ସିଆରସିସି ଭଗବାନ ସାହୁ, ଏସଏମସି ସଭାପତି ମାଧବ ଖିଲ, ୱାର୍ଡ ମେମ୍ବର ପ୍ରହ୍ଲାଦ ପେଟିଆ, ଶିକ୍ଷୟତ୍ରୀ ପ୍ରତିମା ନାୟକ, ଶିକ୍ଷୟତ୍ରୀ କଲ୍ୟାଣି ସ୍ୱାଇଁ, ଶିକ୍ଷୟତ୍ରୀ ରାଜଶ୍ରୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ଶିଶିର କୁମାର ଖୋସଲା ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ପାଢ଼ୀ ଙ୍କୁ ବିଦ୍ୟାଳୟ ଏବଂ ଗ୍ରାମବାସୀ ଙ୍କ ପକ୍ଷରୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥିମାନେ ଶିକ୍ଷୟତ୍ରୀ ଶ୍ରୀମତୀ ପାଢ଼ୀଙ୍କ କାର୍ଯ୍ୟକାଳ ସମ୍ବନ୍ଧ ସମେତ ତାଙ୍କ ସହ ରହିଥିବା ବିଭିନ୍ନ ଅନୁଭୂତି ବଖାଣିଥିଲେ। ପ୍ରଧାନ ଶିକ୍ଷକ ଭୀମ ଖିଲ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
