ମାଲକାନଗିରି,୨୩/୦୧ (ସୁଧାଂଶୁ ଶେଖର ମହାନ୍ତି)ଆଜି ସାରା ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ପୂଜା ମଣ୍ଡପରେ ବଡ ଧୁମଧାମରେ ବିଦ୍ୟାଦାୟିନୀ ମା ସରସ୍ଵତୀଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମଧ୍ୟ ଏହି ପୂଜା ବେଶ ହର୍ଷ ଉଲ୍ଲାସର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଦର ର ମାଲକାନଗିରି ମହାବିଦ୍ୟାଳୟ, ଘଡେଇ ଆବାସିକ ମହାବିଦ୍ୟାଳୟ, ସତ୍ୟ ନାରାୟଣ ମହାବିଦ୍ୟାଳୟ ସମେତ ଅନେକ ଅନୁଷ୍ଠାନ ରେ ଛାତ୍ରଛାତ୍ରୀ ମାନେ ଦେବୀ ସରସ୍ୱତୀଙ୍କ ଆରାଧନା କରିଥିଲେ। ସେହିପରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅଧୀନ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ବୀଣାପାଣିଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଗୁଡିକରେ ସୁସଜିତ ମେଢ କରିବା ସହିତ ବିଭିନ୍ନ ପ୍ରକାର ରଙ୍ଗୀନ ତୋରଣ ମାନ କରି ପୂଜା କରିଥିଲେ। ସେହିପରି ଭାବେ ବ୍ଲକ ଅଧୀନ ସଦାଶିବପୁର ଗ୍ରାମରେ ମଧ୍ୟ ବହୁ ଆଡମ୍ବରରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀଙ୍କ କହିବାନୁଯାୟୀ ଗ୍ରାମରେ ଦୀର୍ଘ ବର୍ଷଧରି ମା ସରସ୍ବତୀ ପୂଜା କରି ଆସୁଛନ୍ତି । ଏଠାରେ ଯିଏ ଯାହା ମନାଶନ୍ତି ତାହା ଫଳପ୍ରଦ ହୁଏ ବୋଲି ଗ୍ରାମ ବାସୀଙ୍କ ବିଶ୍ବାସ ରହିଥିବା ପୂଜା ଦାୟିତ୍ୱରେ ଥିବା ସଭାପତି ଭଗବାନ ସୀସା, ସମ୍ପାଦକ ଖଗପତି ମାଝୀଙ୍କ ସମେତ ନାରାୟଣ ମାଝୀ, କୈଳାସ ଖରା, ମୁକୁନ୍ଦ ପାଙ୍ଗି, ସଞ୍ଜୀବ ସନ୍ୟା, ଡମ ମଝି, ଲବଣୀ କୁମାର ନାୟକ, ଅନନ୍ତ ଦଳପତି, ମଙ୍ଗୁ ଜାର୍ସିଂଗ କହିଛନ୍ତି। ଏହି ପୂଜାକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ବହୁ ଭକ୍ତ ମାନଙ୍କ ଭିଡ଼ ଜମିଥାଏ। ସମସ୍ତେ ମା ଙ୍କ ଆଶିଷ ଲାଭ କରିଥାନ୍ତି । ଗ୍ରାମରେ ତିନିଦିନ ଧରି ଏହି ପୂଜା ହେଉଥିବା ବେଳେ ପ୍ରତ୍ୟେକ ରାତ୍ରରେ ଆଦିବାସୀ ନାଟକ ସମେତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ରବିବାର ଦିନ ବହୁ ଧୁମ ଧାମରେ ମା ସରସ୍ବତୀଙ୍କ ବିସର୍ଜନ କରାଯିବ ବୋଲି ସଭାପତି ଭଗବାନ ସୀସା କହିଛନ୍ତି।

