ବାରିପଦା,୧୬/୦୧(ପାଇକପୁଅ)ବାରିପଦାର ବାରୁଣୀ ଘାଟ ଠାରେ ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ଦାମୋଦର ମେଳା ଆଜିଠାରୁ ଆରମ୍ଭ ହୋଇଛି।ଏଠାରେ ଆଦିବାସୀ ବିଶେଷକରି ସାନ୍ତାଳ ସମ୍ପ୍ରଦାୟର ଲୋକେ ପୂର୍ବ ପୁରୁଷଙ୍କ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ।ପାରମ୍ପାରିକ ରୀତିନୀତି ଅନୁଯାଇ ହଜାର ହଜାର ପରିବାର ଏଠାରେ ଆତ୍ମୀୟ ସ୍ବଜନ ,ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ ଓ ତିଳ ତର୍ପଣ ଦାନ କରି ବୁଡ ପକାଇଥାନ୍ତି।ତେବେ ଆଜି ଦାମୋଦର ମେଳାର ପ୍ରଥମ ଦିନ ଥିବାରୁ ବାରିପଦା ସହରର ଏହି ବାରୁଣୀ ସୁନାମୁହିଁ ଘାଟ ଚଳଚଂଚଳ ହୋଇଉଠିଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ପାରମ୍ପାରିକ ପର୍ବ ପ୍ରତିବର୍ଷ ମକର ସଂକ୍ରାନ୍ତିର ୨ଦିନ ପରେ ଅର୍ଥାତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲୁରହିଥାଏ।
ରାଜକୀୟ ଢଙ୍ଗରେ ରଙ୍ଗବେରଙ୍ଗର ନୂତନ ବସ୍ତ୍ର ପରିଧାନ କରି ମାଦଳ ଓ ଧୁମସା ସାଙ୍ଗକୁ ବଇଁଶୀର ବଜାଇ ଗାଁ ମୁଖିଆଙ୍କ ନେତୃତ୍ୱରେ ସାନ୍ତାଳୀ ସଂପ୍ରଦାୟର ଲୋକମାନେ ଦଳଦଳ ହୋଇ ଏହି ଦାମଦୋର ମେଳାକୁ ଆସୁଥିବାର ଦେଖାଯାଇଛି।କୌତୁକିୟା ପୋଷାକ ପରିଧାନ ସହ ପାରମ୍ପାରିକ ବେଶଭୂଷାରେ ନୃତ୍ୟ ପରିବେଷଣ କରୁଥିବା ଯୋଗୁଁ ଏହି ସ୍ଥାନଟି ଏବେ ଉତ୍ସବମୁଖର ହୋଇ ଉଠିଛି।ସାନ୍ତାଳ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ପରିବାରର ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅସ୍ଥିକୁ ସଂରକ୍ଷିତ କରି ରଖାଯାଇଥାଏ।ଆଉ ମକରପର୍ବ ପରେ ତ୍ରିବେଣୀ ସଂଗମ ବୋଲି କୁହାଯାଉଥିବା ଏହି ଘାଟରେ ପାରମ୍ପାରିକ ରିତିନିତିରେ ଶାଳ ଗଛକୁ ଠାକୁର ଭାବେ ପୂଜାକରି ସେଠାରେ ଭୋଗ ଲଗାଇ ଲଣ୍ଡା ହେବା ସହ ସାମୁହିକ ଭାବରେ ବୁଡ ପକାଇ ଅସ୍ଥି ବିସର୍ଜନ କରିଥାନ୍ତି।ସାନ୍ତାଳ ସଂମ୍ପ୍ରଦାୟ ଏହିଭଳି ସାମୂହିକ ଅସ୍ଥି ବିସର୍ଜନ ପରେ ନିଜକୁ ଗର୍ବିତ ଅନୁଭବ କରୁଥିବା ବେଳେ ପୂର୍ବ ପୁରୁଷ ଶାନ୍ତି ପାଉଥିବାର ବିଶ୍ୱାସ ରହିଛି ବୋଲି ଅସ୍ଥି ବିସର୍ଜନ ପାଇଁ ଆସିଥିବା ଗଣେଷ ହେମ୍ବ୍ରମ, ମଧୁସୂଦନ ମୁର୍ମୁ, ସିଙ୍ଗରାୟ ହେମ୍ବ୍ରମ ପ୍ରମୁଖ କହିଛନ୍ତି। ତେବେ ବାରୁଣୀ ଘାଟରେ ପ୍ରବଳ ଭିଡ଼କୁ ଲକ୍ଷ୍ୟ ରେ ରଖି ପୋଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଛି ବୋଲି ମେଳା ଆୟୋଜନ କମିଟିର ଉପଦେଷ୍ଟା ସୁନାରାମ ସୋରେନ କହିଛନ୍ତି।

