କୋଣାର୍କ,୧୫/୦୧(ପାଇକପୁଅ)କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ପୁରୀ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ପର୍ବ ମାଘ ସପ୍ତମୀ ବୁଡ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଥମ ସମନ୍ଵୟ କମିଟି ବୈଠକରେ ତ୍ରିଶମ୍ଭୁଙ୍କୁ ନିଜ ନିଜର ପୀଠରୁ ବର୍ଣ୍ଣାଢ୍ୟ ସାଜସଜା ଓ ଉଜ୍ବଳ ଆଲୋକ ବ୍ୟବସ୍ଥା ମଧ୍ୟରେ ଶୋଭାଯାତ୍ରା କରି ମେଳା ପଡିଆକୁ ନିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି। ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଗୋଟି ଆମ୍ବୁଲାନ୍ସ ବ୍ୟବସ୍ଥା, ରାମଚଣ୍ଡୀ, ଚନ୍ଦ୍ରଭାଗା ମେଳା ପଡ଼ିଆ, ହେଲିପ୍ଯାଡ ଓ କୋଣାର୍କ ବସଷ୍ଟାଣ୍ଡ ଠାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସ୍ବାସ୍ଥ୍ୟ ସେବା ନିମନ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲିବା ସହ ଷଷ୍ଠୀ ଓ ସପ୍ତମୀ ଦୁଇଦିନ ଧରି କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା ସହ ଆବଶ୍ୟକ ଡାକ୍ତର ମୁତୟନ କରି ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ କୋଣାର୍କ ମୁଖ୍ୟ ବଜାର, ତୀର୍ଥ ପୁଷ୍କରିଣୀ ସଂଲଗ୍ନ ପଡିଆ ଓ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵକୁ ସଫେଇ କରିବା, ମେଳାପଡ଼ିଆରେ ଆଲୋକୀକରଣ ବ୍ୟବସ୍ଥା, ତ୍ରିଶମ୍ଭୁଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଆଲୋକିକରଣ ବ୍ଯବସ୍ଥା ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ବ୍ଲିଚିଙ୍ଗ ଓ ଚୂନ ପକାଇ ବିଶୋଧନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପରିଡା ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନାଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାନୀୟଜଳ ଯୋଗାଣ ନିମନ୍ତେ ଓ୍ବାଟକୋ ପକ୍ଷରୁ ମେଳା ପଡ଼ିଆ ତଥା କୋଣାର୍କ ବଜାରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ଗୋଟି ନଳକୂପ ବସାଇବା, ୨୦ ଗୋଟି ଅସ୍ଥାୟୀ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସହ ୬ ହଜାର ଲିଟର ବିଶିଷ୍ଟ ୨ ଗୋଟି ଟ୍ଯାଙ୍କରର ସୁବନ୍ଦୋବସ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ଲାଇଟ ହାଉସ ସମ୍ମୁଖ ରାସ୍ତା ଓ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ପଛରେ ୧୦୦ ଗୋଟି ଅସ୍ଥାୟୀ ପାଇଖାନା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି।ବୁଡ଼ରେ ସାମିଲ ହେବାକୁ ଆସୁଥିବା ଯାତ୍ରୀ ମାନଙ୍କ ଠାରୁ ପରିବହନ ବିଭାଗ ପକ୍ଷରୁ ନିର୍ଧାରିତ ବସ ଭଡା ରଖିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ମାଘ ସପ୍ତମୀ ବୁଡ ଅବସରରେ ପଂଚମୀ ରାତି ଠାରୁ ସପ୍ତମୀ ପର୍ଯ୍ୟନ୍ତ ତିନିଦିନ ଧରି ବିଦେଶୀ ମଦ ଦୋକାନ ବନ୍ଦ ରହିବା ସହ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ପୋଲିସ ପ୍ରେଟୋଲିଂଗ କଡାକଡି କରାଯିବା ସହ ପୋଲିସ କଣ୍ଟୋଲ ରୁମ ମାଧ୍ୟମରେ ଅପରାଧିକ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦିଆଯିବା ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ୪୦ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯିବା ସହ ସଶସ୍ତ୍ର ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଉପରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚୀନ ପଟେଲ ମତବ୍ୟକ୍ତ କରିଥିଲେ। ପବିତ୍ର ମାଘସପ୍ତମୀ ଓ ମାଘ ଷଷ୍ଠୀ ଦୁଇ ଦିନ ଧରି ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ରହିବ ବୋଲି ନିଷ୍ପତ୍ତି ହୋଇଛି। ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ଚଳିତ ବର୍ଷ ବାରୁଣୀ ଓ ଅଲଭ୍ୟ ବୁଡ ପଡୁଥିବାରୁ ଲକ୍ଷାଧୂକ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଖନନ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଡ୍ରେନେଜ ବିଭାଗ ଅଧିକ୍ଷକ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ମାଘସପ୍ତମୀ ବୁଡ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଂଚ ଖୋଲାଯିବା ସହିତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ରାତିତମାମ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚଳିତ ବର୍ଷ ପବିତ୍ର ମାଘସପ୍ତମୀ ବୁଡ ଏକ ଅଲଭ୍ୟ ଯୋଗରେ ବାରୁଣୀ ସ୍ନାନ ପଢୁଥିବାରୁ ବ୍ୟାପକ ପ୍ରସ୍ତୁତି ଓ ଆୟୋଜନ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିବା ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ କାର୍ଯ୍ୟ ଆରମ୍ଭ ଜୋରଦାର କରିବା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଥମ ସମନ୍ଵୟ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ,ଏଡିଏମ୍ ଶରତ ବେହେରା, ଏଡିଏମ ଶରତ ମହାପାତ୍ର, ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ପ୍ରିୟ ରଂଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।ଏହାସହିତ ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀ,ସମସ୍ତ ବିଭାଗର ଉଚ୍ଚ ଅଧିକାରୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।ଚଳିତ ବୁଡ଼ ପାଇଁ ତ୍ରିଶମ୍ଭୁ ନିଜ ନିଜ ମନ୍ଦିରରୁ ରାତ୍ର ୮ ଘଟିକାରୁ ୧୦ଘଟିକା ମଧ୍ୟରେ ଶୋଭାଯାତ୍ରାରେ ବାହାରି ରାତ୍ର ପ୍ରାୟ ୧ ଘଟିକାରେ ରିଙ୍ଗ ରୋଡ ଠାରେ ଏକତ୍ରିତ ହୋଇ ମେଳା ପଡିଆ ଅଭିମୁଖେ ଯାତ୍ରା କରିବେ। ମେଳା ପଡିଆ ଠାରେ ତ୍ରିଶମ୍ଭୁଙ୍କ ପୂଜା ଅର୍ଚ୍ଚନା ରୀତି ନୀତି ଅନୁଯାୟୀ କରାଯିବା ପରେ ଭୋର ୪.୪୧ମିନିଟରେ ମହାସ୍ନାନ କରିବେ।ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ତ୍ରିର୍ଥ ପୁଷ୍କରିଣୀ ମୁକ୍ତ କରାଯିବ।

