ମାଲକାନଗିରି,୦୮/୦୧ (ସୁଧାଂଶୁ ଶେଖର ମହାନ୍ତି)ଚର୍ଚ୍ଚାରେ ଦିବ୍ୟାଙ୍ଗ ଛାତ୍ର ପ୍ରଦୀପ। ଯଦି ଗୋଟିଏ ସାଧାରଣ ପିଲାଟିର କଥା କହିବା ତ ତା ଶରୀର ର ସ୍ୱାସ୍ଥ୍ୟବସ୍ଥା ରେ ଯଦି କୌଣସି ପରିବର୍ତ୍ତନ ଆସେ ତ ସେ ବିଭିନ୍ନ ଆଳ ଦେଖାଇ ନିଜର ପାଠ ପଢା ବନ୍ଦ କରି ଦେଇଥାଏ। କିନ୍ତୁ ଆଜି ଏପରି ଜଣେ ଦିବ୍ୟାଙ୍ଗ ହୋଇ ବି ପାଠ ପଢା ପ୍ରତି ଆଗ୍ରହୀ ଥିବା ଛାତ୍ରଙ୍କୁ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୯ ୱାର୍ଡ ସ୍ଥିତ ଟିଣା ସାହିରେ। ତାଙ୍କ ଶରୀର ୬୦ ଶତକଡା ଅକ୍ଷମ, ତଥାପି ମନରେ ଅଛି ୧୦୦ ଶତକଡା ଇଚ୍ଛାଶକ୍ତି। ଭଲରେ ସେ ଚାଲି ପାରୁନାହାଁନ୍ତି, ସ୍ପଷ୍ଟ କଥା କହି ବି ପାରୁନାହାଁନ୍ତି, ହାତରେ ଶକ୍ତି ନାହିଁ ତଥାପି ସେ ନିଜ ସ୍ୱପ୍ନକୁ ଛାଡ଼ି ନାହାନ୍ତି। ସ୍ୱପ୍ନ ତାଙ୍କର ଦୌଡୁଛି। ତାଙ୍କର ଶରୀର ଦୁର୍ବଳ, କିନ୍ତୁ ମନ ଭିତରୁ ସେ ଭାରି ମଜବୁତ୍। ପ୍ରଦୀପ ଖିଲ, ଯିଏ ଅସମର୍ଥତାକୁ ହରାଇ, ଆଲୋକକୁ ଖୋଜିଲେ, ଶିଖିବା ପ୍ରତି ତାଙ୍କର ଜିଦ୍।ଆଜି ସମାଜକୁ ସେ ଶିଖାଉଛନ୍ତି,’‘ଅଭିଳାଷ ଥିଲେ ଅସମ୍ଭବ କିଛି ନୁହେଁ”। ତାଙ୍କର ଆଗ୍ରହ ଓ ଦୃଢ଼ ସଙ୍କଳ୍ପ ଆଜି ସମାଜକୁ ନୂଆ ପ୍ରେରଣା ଦେଉଛି। ତାଙ୍କ ମନରେ ଏକ ଛୋଟ ଆଶାର ଅଗ୍ନିଶିଖାକୁ ଜୀବନ୍ତ ରଖିଛନ୍ତି ପ୍ରଦୀପ ଓ ସାଜିଛନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ସବୁଠାରୁ ଚକ୍କିତ କରିବା କରିବା ପରି ଘଟଣା ହେଉଛି ସେ ପାଠ ପଢାକୁ ନିଜ ଜୀବନର ସର୍ବସ୍ବ ବୋଲି ଭାବି ନେଇଛନ୍ତି। ତେଣୁ ସେ ବିଗତ ବର୍ଷ ରେ ୧୦ମ ବୋର୍ଡ ପରୀକ୍ଷା ରେ ଦୁଇ ଦୁଇ ଥର ଫେଲ ହେବା ପରେ, ସେ ଜୀବନ ଯୁଦ୍ଧ ରେ ହାରି ଯାଇଥିବା ଭାବି ମୃତ୍ୟ ର ପଥ କୁ ବାଛି ନେଇଥିଲେ। ଆତ୍ମହତ୍ୟା କରିବା ନିମନ୍ତେ ୧୨ ନଂ ୱାର୍ଡ ସ୍ଥିତ ପାୱାର ହାଉସ ବ୍ରିଜ ନିକଟକୁ ଯାଇଥିଲେ। ବ୍ରିଜ ନିକଟରେ ଦୀର୍ଘ ସମୟ ଧରି ପାଣି କୁ ଚାହିଁ ଛିଡା ରହିଥିବା ବେଳେ ଆତ୍ମହତ୍ୟା କରିବା ନିମନ୍ତେ ୱାଲ ଉପରକୁ ଚଢିବା ପାଇଁ ନିଜର ସଂଘର୍ଷ ବହୁ ସମୟ ଧରି ଜାରି ରଖିଥିଲେ। ସେହି ସମୟରେ ନିକଟସ୍ଥ ଦୋକାନ ର ରାହୁଲ ଖିଲ ନାମକ ଜଣେ ବ୍ୟକ୍ତି ପ୍ରଦୀପ କୁ ଦେଖି ଆତ୍ମହତ୍ୟା ରୁ ବଞ୍ଚାଇବା ସହ ତାଙ୍କୁ ନୂତନ ଜୀବନ ଦାନ କରିଥିଲେ। ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ ଙ୍କ ସହ ଯୋଗାଯୋଗ କରି ପ୍ରଦୀପ ପୁନଃ ୧୦ମ ବୋର୍ଡ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ମଧ୍ୟ କରିଥିଲେ। ଏହାପରେ ପ୍ରଦୀପ ଙ୍କ କଲେଜ ପଢ଼ା ପାଇଁ ସହଯୋଗ କରିଥିଲେ ଉକ୍ତ ଦୋକାନୀ ବ୍ୟକ୍ତି ରାହୁଲ। ବର୍ତ୍ତମାନ ଦିବ୍ୟାଙ୍ଗ ପ୍ରଦୀପ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଯୁକ୍ତ ୨ କଳାର ଦ୍ଵିତୀୟ ବର୍ଷର ଛାତ୍ର। ତେବେ ସେ ନିଜର ଶାରୀରିକ ଅକ୍ଷମ ଏବଂ ଆର୍ଥିକ ଅଭାବ ସତ୍ତ୍ୱେ ମଧ୍ୟ ଦୈନିକ କଲେଜ ଯାଉଥିବା ତାଙ୍କର ସହପାଠୀ ମାନେ ପ୍ରକାଶ କରିଛନ୍ତି। କଲେଜ ଯିବା ପାଇଁ ନିଜ ପାଖରେ ୩ ଚକିଆ ବ୍ୟାଟେରୀ ଟ୍ରାଇ ସାଇକେଲ ଟିଏ ନଥିବା ବେଳେ ସେ ଚାଲି ଚାଲି କିମ୍ବା ଯାଉଥିବା କୌଣସି ବ୍ୟକ୍ତି ଙ୍କୁ ଲିଫ୍ଟ ମାଗି ଦୈନିକ କଲେଜ ଯାଉଥିବା ଦେଖିବାକୁ ମିଳୁଛି। ଦିବ୍ୟାଙ୍ଗ ହୋଇ ମଧ୍ୟ ପାଠ ପଢିବା ପାଇଁ କରୁଥିବା ପ୍ରଦୀପଙ୍କର ପ୍ରଚେଷ୍ଟା ହେତୁ ପ୍ରଦୀପ ବର୍ତ୍ତମାନ ସମଗ୍ର କଲେଜ ସମେତ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି। ଦିବ୍ୟାଙ୍ଗ ଛାତ୍ର ପ୍ରଦୀପଙ୍କ ବାପା ଗାନ୍ଧୀରାମ ଖିଲ ଓ ମାତା ପନି ଖିଲ ବାଲିମେଳା ଏନଏସିରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜ ପିଲା କୁ ଉଚ୍ଚ ଶିକ୍ଷା କରାଇବା ନିମନ୍ତେ ଆର୍ଥିକ ସକ୍ଷମ ନଥିବା ବେଳେ ଯଦି ସରକାର ଚାହିଁବେ ତ ତାଙ୍କ ଛୁଆ ଭଲ ପାଠ ପଢିବା ସହ ଚାକିରୀ ଟିଏ କରି ନିଜ ଅଞ୍ଚଳର ସୁନାମ ଅର୍ଜନ କରିପାରିବ ବୋଲି କହିଛନ୍ତି। ତେବେ ପ୍ରଦୀପ ଦିବ୍ୟାଙ୍ଗ ହେଲେ ମଧ୍ୟ ଏଯାଏଁ ତାଙ୍କ ନିକଟରେ ବ୍ୟାଟେରୀ ଟ୍ରାଇ ସାଇକେଲ ଟିଏ ମଧ୍ୟ ନାହିଁ। ଯଦି ବ୍ୟାଟେରୀ ଟ୍ରାଇ ସାଇକେଲ ଟି ତାଙ୍କ ନିକଟରେ ଥାନ୍ତା ତ ସେ କଲେଜ ଯିବାରେ ଉପକୃତ ହୋଇପାରନ୍ତେ ବୋଲି ତାର ପିତାମାତା କହିଛନ୍ତି। ତେବେ ଠିକ ସେ ଲେଖି ପାରୁ ନଥିବା ହେତୁ ଆଗାମୀ ଦିନରେ ଯୁକ୍ତ ୨ ପରୀକ୍ଷା ନିମନ୍ତେ ପ୍ରଦୀପ ଙ୍କ ପାଇଁ ରାଇଟର ଙ୍କ ଆବଶ୍ୟକତା ରହିଛି। ତେଣୁ ପ୍ରଦୀପ ରାଇଟର ଆବେଦନ କରି ନିଜର ପରୀକ୍ଷା ଦେଇ ପାରିବେ ବୋଲି କଲେଜ ଅଧ୍ୟାପକ ପୁରୁଷୋତ୍ତମ ସମରଥ କହିଛନ୍ତି। ଏଥିସହ ଅଧ୍ୟାପକ ଶ୍ରୀ ସମରଥ କହିଛନ୍ତି ଯେ ଆଗରୁ ଏପରି ଛାତ୍ର ସେ ତାଙ୍କର କ୍ୟାରିଅର କେବେ ମଧ୍ୟ ଦେଖି ନାହାନ୍ତି। ଯେପରିକି ପ୍ରଦୀପ ଦିବ୍ୟାଙ୍ଗ ହୋଇ ସୁଦ୍ଧା ଶତ ପ୍ରତିଶତ ତାଙ୍କର କଲେଜରେ ଉପସ୍ଥାନ। ଖରା, ବର୍ଷା ଏବଂ ଶୀତ କୁ ଖାତିର ନ କରି ଅହରହ ତାଙ୍କର ପ୍ରଚେଷ୍ଟା ହେତୁ ସେ ଏବେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି। ଦିବ୍ୟାଙ୍ଗ ପ୍ରଦୀପ କିପରି ପାଠ ପଢି ଭଲ ଚାକିରୀ ଟିଏ କରିବେ ତାର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ କାମନା କରିଥିବା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କହିଛନ୍ତି।
