ମାଲକାନଗିରି,୩୦/୧୨ (ସୁଧାଂଶୁ ଶେଖର ମହାନ୍ତି)ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଚଳିତ ବର୍ଷ ୪୨ତମ ଶିଶୁ ଉତ୍ସବ କଟକ ସହର ସ୍ଥିତ ନୟାସଡକ ଓଷ୍ଟା କାର୍ଯ୍ୟାଳୟ ଠାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ସାମ୍ବିଧାନିକ ଜିଲ୍ଲା ମଧ୍ୟରୁ ଦଶ ବିଭାଗରୁ ୩୧୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ସେହିପରି ମାଲକାନଗିରି ଜିଲ୍ଲାରୁ ଦଶ ଜଣ ଛାତ୍ରଛାତ୍ରୀ ଦଶଟି ବିଭାଗରେ ଭାଗ ନେଇଥିଲେ। ତନ୍ମଧ୍ୟରୁ ବାଲିମେଳା ସହରର ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସ୍ବାଇଁ ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉଚ୍ଚ କୋଟୀର ତର୍କ ପରିବେଷଣ କରି ଅତିଥି ମାନଙ୍କୁ ଆଚମ୍ବିତ କରିବା ସହ ରାଜ୍ୟ ସ୍ତରରେ ପ୍ରଥମ ହୋଇଥିଲେ। ଶୁଭସ୍ମିତାଙ୍କ କୃତିତ୍ବ ସମ୍ପର୍କରେ ଖବର ମିଳିବା ପରେ ବାଲିମେଳା ସହରରେ ଖୁସିର ଲହରୀ ଖେଳିଯାଇଛି। ରାଜ୍ୟ ସ୍ତରୀୟ କୃତି ଛାତ୍ରୀ ଶୁଭସ୍ମିତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।ସେହିପରି ଏକକ ନୃତ୍ୟ ବିଭାଗରେ ଏମଭି-୭ ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଖୁଶବୁ ଭକ୍ତ ସାନ୍ତ୍ଵନା ମୂଳକ ଭାବେ ପୁରସ୍କୃତ ହୋଇ ଉଭୟ ଛାତ୍ରୀ ଦ୍ବୟ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ୧୯୭୯ ମସିହାରୁ ଏହି ଶିଶୁ ଉତ୍ସବ ପାଳନ କରିଆସୁଥିବା ବେଳେ ଚଳିତ ଡିସେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନ ଧରି ଏହି ଶିଶୁ ଉତ୍ସବ ପାଳନ କରାଯାଇଥିଲା। ଓଷ୍ଟା ଶିଶୁ ଉତ୍ସବ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗ ଦେଇଥିବା ବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଓଷ୍ଟା ରାଜ୍ୟ ସଭାପତି ଅକ୍ଷୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶଙ୍କ ସମେତ ମାଲକାନଗିରି ଓଷ୍ଟା ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ପ୍ରଧାନ, ସମ୍ପାଦକ ମନୋଜ କୁମାର ମହାପାତ୍ରଙ୍କ ସହ ଦୁଇ ଜଣ ପଥପ୍ରଦର୍ଶକ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

