ମାଲକାନଗିରି,୩୦/୧୨ (ସୁଧାଂଶୁ ଶେଖର ମହାନ୍ତି)ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ବର ସ୍ଥିତ ରେଳ ବିଭାଗ ଅଡିଟୋରିୟମ ଠାରେ ଏକ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ ଅଧିନସ୍ଥ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବସନ୍ତ କୁମାର ରଣାଙ୍କ ସହ କୋରାପୁଟ ଜିଲ୍ଲାର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ତରୁଣ କୁମାର ଦାଶଙ୍କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଷ୍ପଗୁଚ୍ଛ, ମୋମେଣ୍ଟୋ ସହ ଉତ୍ତରୀୟ ଦେଇ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତି ପରିଡ଼ା ଉପସ୍ଥିତ ରହିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଥାଉକି ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ଶିକ୍ଷକ ବସନ୍ତ କୁମାର ରଣା ଏବଂ ତରୁଣ କୁମାର ଦାଶଙ୍କ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ପୁରସ୍କୃତ ହୋଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଗର୍ଵ ଓ ଗୌରବ ଆଣିଥିଲେ।

