କୋଣାର୍କ, ୩୦/୧୨(ପାଇକପୁଅ)ପବିତ୍ର ଶାମ୍ବ ଦଶମୀରେ କୋଣାର୍କ ଅବଧୂତ ମଠ ହୋଇ ଉଠିଥିଲା ଉତ୍ସବ ମୁଖର। ପୌଷ ଶୁକ୍ଳ ଦଶମୀ ତିଥିରେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ନାରାୟଣ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ଦିନ ଯାତ୍ରାରେ ଯାଇଥାନ୍ତି।ଯାହାକି ସୂର୍ଯ୍ୟ ରଥ ଭାବେ ଆବାହନ କାଳରୁ ଅନୁଷ୍ଟିତ ହୋଇଆସୁଅଛି।ଏକ ଆଧ୍ୟାତ୍ମିକ ପରିବେଶରେ ଘଣ୍ଟ, ଘଣ୍ଟା,ଶଙ୍ଖ, ହୁଳହୁଳି ଓ ହରିବୋଲ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ମଠ ପରିସର।ଉଦୟ କାଳୀନ ସୂର୍ଯ୍ୟ ନାରାୟଣଙ୍କୁ ପ୍ରଥମେ କାକରା, ଖେଚୁଡି, ପୋଡପିଠା ଭୋଗ ସହ ପୂଜାର୍ଚ୍ଚନା କରାଯାଇ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥିଲା। ତତ ସହିତ ରୀତିନୀତି ମୁତାବକ ରଥରେ ଅନନ୍ତ ଅବଧୂତ ମଠ ମହନ୍ତ ଆଦିତ୍ୟ ଚରଣ ଦାଶ ଛେରା ପହଁରା କରିଥିଲେ। ଛେରା ପହଁରା ସରିବା ପରେ ଦିବା ୧୧ଟାରେ ରଥଟଣା ଆରମ୍ଭ ହୋଇଥିଲା।ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନେଇଥିଲେ।ଚନ୍ଦ୍ରଭାଗା ତୀର୍ଥରେ ୨୭ଦିନ ଧରି ୨୭ ନକ୍ଷତ୍ରରେ ପୂଜାପାଠ କରାଯିବ ସହ ପ୍ରତ୍ୟେକ ଦିନ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବ।ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ନାରାୟଣ ରଥରେ ଅବଧୂତ ମଠକୁ ପ୍ରତ୍ୟାବର୍ତ୍ତନ କରିବେ। ପୁରାଣ ଶାସ୍ତ୍ର ମତେ ଏହି ତିଥିରେ ରଥରେ ମିତ୍ରାଦିତ୍ୟଙ୍କୁ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୂର୍ନଜନ୍ମ ହୋଇ ନଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି।ଶାମ୍ବ ଦଶମୀରେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଲ ଛାଡ ହୋଇଛି। ଏହି ଅବସରରେ ସୌର ବ୍ରାହ୍ମଣ ପରିଷଦ ଓଡିଶା ପକ୍ଷରୁ ୩ଦିନିଆ ସୌରଯଜ୍ଞ ଓ ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ଗାୟତ୍ରୀ ମହାଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇଛି । ଅର୍କକ୍ଷେତ୍ର ଗାୟତ୍ରୀ ପରିବାର, ନବଗ୍ରହ ପୀଠ ସୌର ଯଜ୍ଞ, ବ୍ରାହ୍ମଣ ପରିଷଦର କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ଜଣାପଡିଛି।

