ମାଲକାନଗିରି,୨୯/୧୨ (ସୁଧାଂଶୁ ଶେଖର ମହାନ୍ତି)କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭଲ ରାସ୍ତା ଉପରେ ପୁନଃ ପିଚୁ ଢାଳି ନୂତନ ରାସ୍ତା ନିର୍ମାଣ କରୁଥିବା ବେଳେ ଦୁର୍ଘଟଣା ଘଟୁଥିବା ସ୍ଥାନକୁ କାଟି ସିଧା କଲା ନାହିଁ ପ୍ରଶାସନ, ଫଳରେ ସାଧାରଣରେ ଜନ ଅସନ୍ତୋଷ। ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ମାଲକାନଗିରି ସ୍ଥିତ ଆରଏଣ୍ଡବି ବିଭାଗ ପକ୍ଷରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ସ୍ଥାନେ ସ୍ଥାନେ ନୂଆ କରି ପିଚୁ ଢଳାଇ, ଘାଟି ଥିବା ରାସ୍ତା କୁ କାଟି ସମତୁଲ କରିବା ଏବଂ ଦୁର୍ଘଟଣା ଘଟୁଥିବା ଘାଟି ଗୁଡ଼ିକ କାଟି ସିଧା କରିବା ନିମନ୍ତେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହେଉଥିବା ବେଳେ କୋରୁକୋଣ୍ଡା ନିକଟସ୍ଥ ଶୂଳିଆ କଲୋନୀ ଶିବ ମନ୍ଦିର ନିକଟରୁ ନାୟକଗୁଡା ଛକ ପର୍ଯ୍ୟନ୍ତ ରହିଥିବା ଶୂଳିଆ ଘାଟି ର ଅଙ୍କାବଙ୍କା ହୋଇଥିବା ମୂଖ୍ୟ ରାସ୍ତା କାଟିବାକୁ ଭୁଲିଗଲା ବିଭାଗ। ଗତ ୯ ମାସ ତଳେ ଏହି ଶୂଳିଆ ଘାଟିର ମୁଖ୍ୟ ରାସ୍ତା ଉପରେ ଆରଏଣ୍ଡବି ବିଭାଗ ପକ୍ଷରୁ ନୂଆ କରି ପିଚୁ ପଡିଥିଲା। କିନ୍ତୁ ରାସ୍ତାଟି ରୁ ପିଚୁ ନ ଉଠି ରାସ୍ତାଟି ଭଲ ରହିଥିବାବେଳେ ପୁନଃ ଏହି ୫ ଦିନ ତଳେ ଉକ୍ତ ଘାଟି ରାସ୍ତା ଉପରେ ବିଭାଗ ପକ୍ଷରୁ ନୂଆ କରି ପିଚୁ ଢଳାଇ ହୋଇ ନୂତନ ରାସ୍ତା ନିର୍ମାଣ କରାଯାଇଥିବା ଦେଖିବାକୁ ମିଳୁଛି। ଯେଉଁଠି କି ଘାଟି ରାସ୍ତା କୁ କାଟି ସମତୁଲ ନ କରି, ପ୍ରାୟ ସମୟରେ ଦୁର୍ଘଟଣା ଘଟୁଥିବା ଅଙ୍କାବଙ୍କା ଘାଟି ରାସ୍ତା କୁ ସିଧା ନ କରି ବିଭାଗ ଏପରି ନିଜ ମନମୁତାବକ କାର୍ଯ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଯଦି ବିଭାଗ ପକ୍ଷରୁ ଏହି ଶୂଳିଆ ଘାଟିର ଅଙ୍କାବଙ୍କା ରାସ୍ତାକୁ କାଟି ସିଧା କରାଯିବ ତାହେଲେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ରୁ ଗାଡି ଚାଳକ ମାନେ ବର୍ତ୍ତିବେ ବୋଲି ଅନୁମାନ କରାଯାଉଛି। ତେବେ ମାଲକାନଗିରି ଜିଲ୍ଲା ସଦର ମହକୁମା କୁ ଏହି ଗୋଟିଏ ହିଁ ମୁଖ୍ୟ ରାସ୍ତା ରହିଥିବା ହେତୁ ଏହି ଶୂଳିଆ ଘାଟି ରାସ୍ତାରେ ଦୈନିକ ଶହ ଶହ ଗାଡି ଯାତାୟତ କରିଥାଏ। ଦୈନିକ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀ ମାନେ ମଧ୍ୟ ବାଲିମେଳା, କୁଡୁମୁଲୁଗୁମ୍ମା ତଥା ଚିତ୍ରକୋଣ୍ଡା ର ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ତେବେ କୌଣସି ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ପଡୁ ନଥିବା ହେତୁ ଏପରି ବହୁ ଦୁର୍ଘଟଣା ର ଶିକାର ହେଉଛନ୍ତି ବାଇକ ଚାଳକ। ଘାଟି ରାସ୍ତାର ଏ କଡ଼ କୁ ସେ କଡ ଆଦୌ ଦେଖା ଯାଉ ନଥିବା ହେତୁ ବହୁ ସମୟରେ ବାଇକ ଚାଳକ ମାନେ ଦୁର୍ଘଟଣା ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। କିଛି ବାଇକ ଚାଳକ ତ ପୂର୍ବ ଦିନରେ ଏହି ଶୂଳିଆ ଘାଟିର ଅଙ୍କାବଙ୍କା ରାସ୍ତାରେ ସଡକ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟବରଣ କରିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ତେବେ ତୁରନ୍ତ ଆରଏଣ୍ଡବି ବିଭାଗ ପକ୍ଷରୁ ଏହି ଘାଟିର ଅଙ୍କାବଙ୍କା ରାସ୍ତାକୁ କାଟି ସିଧା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଆମେ ବିଭାଗୀୟ ଏସଡିଓ ମକର୍ଷଣ ବେହେରା ଙ୍କୁ ପଚାରିବାରୁ ଉକ୍ତ ଘାଟିରେ ଥିବା ଜଙ୍ଗଲ ବନ ବିଭାଗ ଅଧୀନରେ ରହିଛି, ତେଣୁ ତାହା କାଟି ସିଧା ରାସ୍ତା ନିର୍ମାଣ କରିବା ସମ୍ଭବପର ନାହିଁ। ଏବଂ ଘାଟି ରାସ୍ତାର ଉଭୟ ପଟ ଦୃଶ୍ୟମାନ ନିମନ୍ତେ ବିଭାଗ ପକ୍ଷରୁ ମିରର ଲଗାଯିବା ସହ ଦୁର୍ଘଟଣା ପ୍ରବଣ ସ୍ଥାନର ଫଳକ ଲଗାଇ ପିଚୁ ରାସ୍ତାର ଦୁଇ କଡରେ ଓସାରିଆ ଭାବେ ପେଭର ବ୍ଲକ ରାସ୍ତା ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।

