କୋଣାର୍କ, ୨୯/୧୨(ପାଇକପୁଅ) ପୁରୀ ଜିଲ୍ଲାର ଦ୍ଵିତୀୟ ବଡ ପର୍ବ ମାଘସପ୍ତମୀ ବୁଡ ନିମନ୍ତେ କୋଣାର୍କ ଯାତ୍ରୀ ନିବାସ ଠାରେ ତ୍ରିଶମ୍ଭୁଙ୍କ ସ୍ନାନ ନୀତି ଓ ମେଳା ପଡିଆକୁ ଯାତ୍ରା ନୀତି ସଂପାଦନ ବୈଠକରେ ନିର୍ଦ୍ଧାରଣ ସବକମିଟି ବୈଠକରେ ପ୍ରଶାସନିକ ବିଫଳତା ଯୋଗୁଁ ନୀତି ନିର୍ଦ୍ଧାରଣ ହୋଇନପାରିବା ଜନସାଧାରଣ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ପ୍ରକାଶ ଯେ ଗତ ଡିସେମ୍ବର ମାସ ୧୭ ତାରିଖ ଦିନ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ତିନି ଠାକୁରଙ୍କ ସେବାୟତ ତ୍ରିଶମ୍ଭୁଙ୍କ ପୀଠରେ ଠାକୁରଙ୍କ ଦେବ ନୀତି, ସେବାୟତ ଓ ବେହେରା ସେବକ ଙ୍କ ସମାସ୍ୟାର ସମାଧାନ, ମନ୍ଦିର ଚୂନ ଧଉଳା, ପୀଠର ଆଲୋକୀକରଣ ଓ ସେବାୟତ ମାନଙ୍କ ବିଭିନ୍ନ ସମାସ୍ୟାର ସମାଧାନ କରିବା ପାଇଁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କୁ ତିନି ଠାକୁରଙ୍କ ସେବାୟତ ମାନଙ୍କୁ ନେଇ ବୈଠକ କରି ନୀତି ସଂପାଦନ ବୈଠକ ପୂର୍ବରୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା ତିନି ଠାକୁରଙ୍କ ସେବାୟତ ମାନଙ୍କ ସହିତ ସେମାନଙ୍କ ମୌଳିକ ସମାସ୍ୟାର ସମାଧାନ ଓ ଠାକୁରଙ୍କ ଦେବ ନୀତି ନେଇ କୌଣସି ଆଲୋଚନା ନ କରିବାରେ ସୋମବାର କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ନୀତି ନିର୍ଦ୍ଧାରଣ ସବକମିଟି ବୈଠକରେ ତିନି ଠାକୁରଙ୍କ ନୀତି ନିର୍ଦ୍ଧାରଣ ହୋଇ ପାରିନଥିଲା। ଏହି ବୈଠକରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ସ୍ବାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା, ଆଲୋକିକରଣ ବ୍ଯବସ୍ଥା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ତୀର୍ଥ ପୁଷ୍କରିଣୀ ଖନନ, ପାର୍କିଂ ବ୍ୟବସ୍ଥା, ଶ୍ରଦ୍ଧାଳୁ ଭକ୍ତ ସମାଜ ପାଇଁ ସୁରକ୍ଷା ବ୍ୟବସ୍ଥା ପାଇଁ ସଶସ୍ତ୍ର ପୋଲିସ ମୁତୟନ, ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ହଜିଲା ଖୋଜିଲା ମଂଚ, ପୂର୍ତ୍ତବିଭାଗ ବିଭାଗ ପକ୍ଷରୁ ବ୍ୟାରିକେଡ ନିର୍ମାଣ ଓ ସେବାକାର୍ଯ୍ୟ ପାଇଁ ୩୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ମୁତୟନ କରିବା ଉପରେ ଆଲୋଚନା ହୋଇଥିଲା।ନୀତି ନିର୍ଧାରଣ ପାଇଁ ଆସନ୍ତା ୩୧ ତାରିଖ ଦିନ ପୁନଶ୍ଚ ବୈଠକ ଅନୁଷ୍ଠିତ ହେବ ବୋଲି କୋଣାର୍କ ଏନ୍ ଏ ସି ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସେହିପରି ପ୍ରଥମ ବୈଠକରେ ରାସ୍ତା ଓ ଡ୍ରେନ ଉପରେ ବ୍ୟବସାୟୀ ମାନେ ଜବର ଦଖଲ କରି ବ୍ୟବସାୟ କରିବାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଫଳରେ ଜିଲ୍ଲାପାଳ ଗୋପ ତହସିଲଦାରଙ୍କୁ ଏହାକୁ ଉଚ୍ଛେଦ କରିବା ପାଇଁ କହିଥିବା ବେଳେ ଆଜି ଉପଜିଲ୍ଲାପାଳ ଏହି ପ୍ରସଙ୍ଗକୁ କୋର୍ଟ କଚେରି କହି ଏଡାଇଯାଇଥିଲେ। ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଗୋପ ବିଡ଼ିଓ ଛବିରାଣୀ ସାହୁ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା, କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା, କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଡ୍ରେନେଜ ବିଭାଗ ଅଧିକ୍ଷକ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ବାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

