କୋଣାର୍କ,୨୮/୧୨(ପାଇକପୁଅ)ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ତିନିଦିନିଆ ଓଡିଶା ଗସ୍ତରେ ଆସି ଶନିବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିବା ଜଣା ପଡ଼ିଛି। ପୂର୍ବ ସୂଚନା ମୁତାବକ ଶନିବାର ଅପରାହ୍ନରେ ମୁଖ୍ୟ ନିର୍ବାଚନ କମିଶନର ସପତ୍ନିକ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଭୁବନେଶ୍ୱରରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିବା ସହିତ ଓଡିଶାବାସୀଙ୍କୁ ଓଡ଼ିଆ ଭାଷାରେ ସମ୍ମାନ ଜଣାଇଥିଲେ।ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପାଳନ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଥିଲେ। ପୁରୀ ଶ୍ରୀମନ୍ଦିରର ସମ୍ମୁଖରେ ଶ୍ରୀ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ, ଜ଼ିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ କୁମାର ସିଂ ଓ ଅନ୍ୟ ଅଧିକାରୀମାନେ ସ୍ୱାଗତ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବାଦେବୀଙ୍କ ଦର୍ଶନ କରାଇଥିଲେ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମୁଖ୍ୟ ନିର୍ବାଚନ କମିଶନର ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କଳିଙ୍ଗ ଶୈଳୀର ଅନନ୍ୟ ନିର୍ମାଣ ଓ ୟୁନେସ୍କୋ ଘୋଷିତ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କର ଅଦ୍ଭୁତ କଳାନୈପୁଣ୍ୟ ଓ ଇତିହାସ ସମ୍ପର୍କରେ ଜାଣି ସେ ଅବିଭୁତ ହୋଇଥିଲେ।କୋଣାର୍କରେ ନିର୍ବାଚନ କମିଶନର ଶ୍ରୀ କୁମାର କହିଥିଲେ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଓଡ଼ିଶାର ନୁହଁ ବରଂ ଏହା ସମଗ୍ର ଭାରତର ମାନ ଓ ସମ୍ମାନ ଅଟେ। ମନ୍ଦିରର କଳେବର ଓ କାରୁକାର୍ଯ୍ୟକୁ ଅନୁଧ୍ୟାନ କଲେ ଜଣା ପଡେ ପ୍ରାଚୀନ ସମୟରେ ଆମ ଦେଶ ଧନ, ମାନ, ଜ୍ଞାନ ଓ ବିଜ୍ଞାନରେ କେତେଯେ ସମୃଦ୍ଧ ଥିଲା ସେ କଥା କଳ୍ପନା କଲେ ହୃଦୟ ଗର୍ବ ଓ ଗୌରବରେ ପୁରି ଉଠୁଛି ବୋଲି ମତ ବ୍ୟକ୍ତ କରିଥିଲେ।ତାଙ୍କର ଏହି ଗ୍ରସ୍ତ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନଙ୍କ ସହିତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଗୋପୀନାଥ କଅଁର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଶ୍ରୀମତୀ ଅନାମିକା ସିଂ, ସ୍ଥାନୀୟ ପ୍ରଶାସନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

