ମାଲକାନଗିରି,୨୨/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାର ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ବିଗତ ଦିନରେ ଜିଲ୍ଲାର ଏମଭି ୨୬ ଓ ରାଖେଲଗୁଡା ଗ୍ରାମରେ ଉପୁଜିଥିବା ଅସନ୍ତୋଷ ମୂଳକ ପରିସ୍ଥିତି ଯୋଗୁଁ ଏହା ସ୍ଥଗିତ ହୋଇଥିଲା। ବର୍ତ୍ତମାନ ଜିଲ୍ଲାର ସ୍ଥିତିରେ ସୁଧାର ଆସିଥିବା ସହ ଏମଭି ୨୬ ଓ ରାଖେଲଗୁଡାରେ ଶାନ୍ତି ଫେରିଥିବା ହେତୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ପରିଷଦ କାର୍ଯ୍ୟଳୟରେ ଏକ ବୈଠକ ଜିଲ୍ଲାପାଳ ସୋମେଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପୂର୍ବରୁ ଶେଷ ହୋଇଥିବା ବେଳେ ଏହି ବୈଠକରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ଦିନ ଧାର୍ଯ୍ୟ କରିବା ଦିଗରେ ଆଲୋଚନା କରଯାଇଥିଲା। ତେବେ ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶମାରୀ ତାଙ୍ଗୁଲ, ଉପାଧକ୍ଷ ପତିତ ପାବନ ବୈଦ୍ୟ, ସାଂସଦ ପ୍ରତିନିଧି ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀ, ବିଭିନ୍ନ ଆଦିବାସୀ ସଂଘର କର୍ମକର୍ତ୍ତା, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ କିଛି ବ୍ୟକ୍ତି ଜିଲ୍ଲାର ରାଖେଲଗୁଡା ରେ ହୋଇଥିବା ମହିଳାଙ୍କ ହତ୍ୟା ଘଟଣା ଯୋଗୁଁ ମାଲ୍ୟାବନ୍ତ ମହୋତ୍ସବକୁ ବାତିଲ କରିବା ପାଇଁ ମତ ରଖିଥିବା ବେଳେ ଅନ୍ୟମାନେ ଏହି ମହୋତ୍ସବକୁ ପୂର୍ବ ପରି କରିବା ପାଇଁ ମତ ରଖିଥିଲେ। ତେବେ ଯେଉଁ କାରଣ ଯୋଗୁଁ ଏହି ମହୋତ୍ସବ ସ୍ଥଗିତ ହୋଇଥିଲା, ସେହି କାରଣର ସମ୍ପୂର୍ଣ ସମାଧାନ ପାଇଁ ଶାନ୍ତି କମିଟି କରି ଉଭୟ ପକ୍ଷ ସହ ଆଲୋଚନା ପରେ ମହୋତ୍ସବକୁ କରିବା ପାଇଁ ମଧ୍ୟ କିଛି ବ୍ୟକ୍ତି ମତ ରଖିଥିଲେ। ଏସବୁକୁ ନେଇ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ତାରିଖ ଧାର୍ଯ୍ୟ ହୋଇ ପାରିନଥିବା ବେଳେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଥିଲେ ଯେ, ବିଗତ ଦିନରେ ଜିଲ୍ଲାରେ ଯେଉଁ ସ୍ଥିତି ଉପୁଜିଥିଲା ତାହା ଅତ୍ୟନ୍ତ ଦୁଃଖଦାୟକ। ଏହା ମଧ୍ୟରେ ଜିଲ୍ଲା ପ୍ରଶାସନ ସ୍ଥିତିକୁ ସୁଧାରିବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିବା ବେଳେ ଜିଲ୍ଲାରେ ଶାନ୍ତି ଫେରାଇ ଆଣିଛି। ତେବେ ମାଲ୍ୟବନ୍ତ ମହୋତ୍ସବ ଏହି ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ବେଳେ ଏହି ମହୋତ୍ସବ ହେଲେ ଏହା ସାରା ରାଜ୍ୟ ଓ ଦେଶ ପାଇଁ ଆମ ମଧ୍ୟରେ ଥିବା ଏକତାକୁ ଦର୍ଶାଇବ। ତେଣୁ ଆସନ୍ତା ଜାନୁଆରୀ ମାସ ୭ ତାରିଖରେ ପୁନଃ ଏକ ବୈଠକ କରି ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ତାରିଖ ଧାର୍ଯ୍ୟ ଦିଗରେ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ। ଇତି ମଧ୍ୟରେ ଶାନ୍ତି କମିଟି ଦ୍ଵାରା ବିଗତ ଦିନରେ ହୋଇଥିବା ଘଟଣାର ପୂର୍ଣ୍ଣ ସମାଧାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

