ମାଲକାନଗିରି, ୨୭/୯ (ପାଇକପୁଅ)ଅବିଭକ୍ତ କୋରାପୁଟ ଅଞ୍ଚଳର ମାଟି, ଭାଷା, ସଂସ୍କୃତି, ପରମ୍ପରା ଓ ଲୋକଜୀବନକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିସ୍’ ମାଲକାନଗିରିରେ ଦର୍ଶକଙ୍କ ମନ ଜିଣିଛି। ଗତ ୧୮ ତାରିଖରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଶନିବାର ପ୍ରଥମଥର ପାଇଁ ମାଲକାନଗିରି ସଦର ଜେ-ମେକ୍ସ ସିନେମା ହଲ୍ରେ ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ରକୁ ଦେଖିବା ପାଇଁ ହଲ୍ରେ ଦର୍ଶକଙ୍କ ଉତ୍ସାହଜନକ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷକରି ନିଜ ଅଞ୍ଚଳର ଭାଷା, ଚାଲିଚଳନ, ପ୍ରକୃତି ଓ ଲୋକଜୀବନର ବାସ୍ତବ ଚିତ୍ରଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବଣ, ପାହାଡ଼ ଓ ଆଦିବାସୀ ଜୀବନର ବିଭିନ୍ନ ଦିଗକୁ ନେଇ ପ୍ରସ୍ତୁତ ଏହି କାହାଣୀ ସାମାଜିକ ବାସ୍ତବତା ସହ ଜଡ଼ିତ ଥିବାରୁ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଆଗ୍ରହ ଦେଖାଯାଇଥିଲା। ଚଳଚ୍ଚିତ୍ରର ପ୍ରଥମ ପ୍ରଦର୍ଶନ ଅବସରରେ ଅଭିନେତା, ସଙ୍ଗୀତ ନିର୍ଦ୍ଦେଶକ ଓ ଟିମ୍ର ଅନ୍ୟ ସଦସ୍ୟମାନେ ହଲ୍ରେ ଉପସ୍ଥିତ ରହି ଦର୍ଶକଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ପରଦାରେ କଳାକାରଙ୍କ ଅଭିନୟ ଦେଖିବା ସହ ତାଙ୍କୁ ସାମ୍ନାସାମ୍ନି ଭେଟିବାର ସୁଯୋଗ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଥିଲା। ନିର୍ମାତା ପକ୍ଷରୁ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ର ଦେଶର ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ପ୍ରଶଂସା ଓ ସମ୍ମାନ ହାସଲ କରିଛି। ମାଲକାନଗିରିରେ ପ୍ରଦର୍ଶନ ସମୟରେ ମଧ୍ୟ ସ୍ଥାନୀୟ ଦର୍ଶକଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଟିମ୍କୁ ଉତ୍ସାହିତ କରିଥିଲା। ଏହି ଚଳଚ୍ଚିତ୍ରକୁ ସଫଳ କରିବା ପାଇଁ ଟିମ୍ ପକ୍ଷରୁ ଦର୍ଶକଙ୍କୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଚଳଚ୍ଚିତ୍ରର କଳାକାର ଜୟନ୍ତ ସାନ୍ତ୍ରା, ଏମ୍ଡି ସରିଫ୍, ଦିବ୍ୟ ବେହେରା, ଚନ୍ଦନ ସାହୁଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ତୋଷ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ମଧ୍ୟ ହଲ୍ରେ ଉପସ୍ଥିତ ରହି କଳାକାରଙ୍କ ଅଭିନୟ ଓ ଚଳଚ୍ଚିତ୍ରର ବିଷୟବସ୍ତୁକୁ ପ୍ରଶଂସା କରିଥିଲେ। ‘ମାଳିପୁଟ ମେଲୋଡିସ୍’ ମାଧ୍ୟମରେ ଅବିଭକ୍ତ କୋରାପୁଟ ଅଞ୍ଚଳର ମାଟି ଓ ଲୋକଜୀବନର ଚିତ୍ର ବଡ଼ ପରଦାରେ ଉପସ୍ଥାପିତ ହୋଇଥିବାରୁ ସ୍ଥାନୀୟ ଦର୍ଶକଙ୍କ ମଧ୍ୟରେ ଚଳଚ୍ଚିତ୍ରଟିକୁ ନେଇ ଉତ୍ସାହ ଥିବା ଦେଖିବାକୁ ମିଳିଛି।

