ମାଲକାନଗିରି, ୨୬/୯ (ପାଇକପୁଅ)ଗତ କିଛି ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ଷାର ବିତ୍ପାତ ମଧ୍ୟରେ ସାମ୍ନାକୁ ଆସିଛି ଜଣେ ଶତାୟୁ ବୃଦ୍ଧଙ୍କ ଅସହାୟ ଜୀବନର ଚିତ୍ର। ବାଲିମେଳା ସହରର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଓଏଚ୍ପିସି ସମ୍ମୁଖ ସବ୍ଷ୍ଟେସନ୍ ନିକଟରେ ଦୀର୍ଘ ବର୍ଷ ଧରି ଏକ ମାଟି କୁଡ଼ିଆରେ ରହିଆସୁଥିବା ଭଗବାନ ଗୌଡଙ୍କ ବୟସ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ବୟସର ଭାରରେ ନା ସେ ଠିକ୍ ଭାବେ ଚାଲିପାରୁଛନ୍ତି, ନା ନିଜ ପାଇଁ ରୋଷେଇ କରିବାର ସାମର୍ଥ୍ୟ ରହିଛି। ଏହାସତ୍ତ୍ୱେ ଭଙ୍ଗାଦଦରା କୁଡ଼ିଆ ଘରେ ଓଦା କାକର ମଧ୍ୟରେ ରହି ଜୀବନ କାଟୁଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ପ୍ରତିକୂଳ ପାଗରେ ତାଙ୍କ ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଥିବା ବେଳେ ବାଲିମେଳାର କିଛି ସମାଜସେବୀ ନିୟମିତ ଭାବେ ତାଙ୍କ ଖବର ରଖୁଥିବାରୁ ସେ ସହାୟତା ପାଇଆସୁଥିବା ଜଣାପଡ଼ିଛି।ବୃଦ୍ଧଙ୍କ ଦୁରବସ୍ଥା ସମ୍ପର୍କରେ ଜାଣି ସମାଜସେବୀ ପି. ସରୋଜିନୀ ଚନ୍ଦ୍ରନ, ସୁଶାନ୍ତ ଡାକୁଆ, ଘନ ବେହେରା, ସୁରଜ କୁମାର ଜେନା, ପି. ଭେଙ୍କେଟେଷ ଓ ଟୁକୁଲୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୃଦ୍ଧଙ୍କୁ ନିରାପଦ ଆଶ୍ରୟ ଦେବା ନେଇ ସେମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଶୁକ୍ରବାର ରାତିରେ ଭଗବାନ ଗୌଡଙ୍କୁ ଗୋବିନ୍ଦପାଲ୍ଲୀ ସ୍ଥିତ ବୃଦ୍ଧାଶ୍ରମକୁ ପଠାଯାଇଥିଲା। ତେବେ ସେଠାରେ ମଧ୍ୟ ସାରା ରାତି ରହିନପାରି ପୁଣି ନିଜ ପୁରୁଣା କୁଡ଼ିଆ ଘର ଆଡ଼କୁ ଫେରିଆସିବା ନିମନ୍ତେ ମନ କରୁଥିବା ଜଣାପଡ଼ିଛି। ନିଜ ପରିଚିତ ମାଟି ଘର ଓ ପରିବେଶକୁ ଛାଡ଼ିବାକୁ ସେ ଚାହୁଁନଥିବାରୁ ଏପରି କରିଥିବା କୁହାଯାଉଛି। ଏଭଳି ସ୍ଥିତିରେ ତାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଅନ୍ୟତ୍ର ରଖିବା ଅପେକ୍ଷା ପ୍ରଶାସନ ପକ୍ଷରୁ ତାଙ୍କ କୁଡ଼ିଆ ଘରର ମରାମତି କିମ୍ବା ସୁରକ୍ଷିତ ଘର ଯୋଗାଇଦେବା ନେଇ ପଦକ୍ଷେପ ନିଆଯାଇପାରିଲେ ଶତାୟୁ ଭଗବାନ ନିଜ ପରିଚିତ ପରିବେଶରେ ସୁରକ୍ଷିତ ଭାବେ ରହିପାରିବେ ବୋଲି ମତ ପ୍ରକାଶ ପାଇଛି। ବିପଦ ସମୟରେ ଜଣେ ଅସହାୟ ବୃଦ୍ଧଙ୍କ ପାଖରେ ଠିଆ ହୋଇ ତାଙ୍କ ଜୀବନର ସୁରକ୍ଷା ପାଇଁ ପ୍ରୟାସ କରିଥିବା ସମାଜସେବୀମାନଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଶତାୟୁ ଭଗବାନଙ୍କ ମୁଣ୍ଡ ଉପରେ କେବେ ହେବ ସୁରକ୍ଷିତ ଛାତ।

