ମାଲକାନଗିରି,୨୨/୦୯ (ସୁଧାଂଶୁ ଶେଖର ମହାନ୍ତି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଆସନ୍ତା ୨୩ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସମ୍ଭାବ୍ୟ ବନ୍ୟା ଓ ଜରୁରୀ ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି। ଏନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଜରୁରୀ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ସ୍ଥିତିର ସମୀକ୍ଷା କରାଯାଇଛି।
ବୈଠକରେ ସମ୍ଭାବ୍ୟ ବନ୍ୟା, ତଳିଆ ଓ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପ୍ରସ୍ତୁତି ଏବଂ ଉଦ୍ଧାରକାର୍ଯ୍ୟ ନେଇ ଜିଲ୍ଲାପାଳ ବିଡିଓ, ତହସିଲଦାର ଓ ଅନ୍ୟ ଅଧିକାରୀଙ୍କୁ ୨୪ ଘଣ୍ଟିଆ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୨୩ରୁ ୨୫ ସେପ୍ଟେମ୍ବର ଯାଏଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯିବ। ସେହିପରି ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ୨୪ ତାରିଖରେ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ମାଲକାନଗିରି ଓ ବାଲିମେଳା ପୌରାଞ୍ଚଳର କଲ୍ୟାଣ ମଣ୍ଡପଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ ରଖାଯାଇଛି। ଏଠାରେ ଶୁଖିଲା ଖାଦ୍ୟ ସହ ଗରମ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବ୍ୟବସ୍ଥା କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପୌରାଞ୍ଚଳର ଗାଡ଼ି ଓ ଶବ୍ଦବିସ୍ତାରକ ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ଜିଲ୍ଲାରେ ମୋଟ ୩୭ଟି ବିପର୍ଯ୍ୟୟ ପ୍ରଶମନ ଦଳକୁ ସଜାଗ ରଖାଯାଇଛି। ଏଥିରୁ ମାଥିଲି ଅଞ୍ଚଳରେ ୧୨ଟି ଓ କାଲିମେଳାରେ ୨୫ଟି ଦଳ ନିୟୋଜିତ ହୋଇଛି। ପାଙ୍ଗାମ ଓ କନ୍ୟାଶ୍ରମ ପୋଲ ସମେତ ବିପଦପ୍ରବଣ ସ୍ଥାନରେ ପୁଲିସ ପହରା କଡ଼ାକଡ଼ି କରାଯାଇଛି। ବନ୍ୟାପାଣି କିମ୍ବା ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଭିଡିଓ କରିବା ଉପରେ କଟକଣା ଜାରି କରାଯାଇଛି। ବଣ୍ଡାଘାଟି, ବାୟାପଡ଼ା ଓ ବଡ଼ଡୁରାଲ ଭଳି ଭୂସ୍ଖଳନପ୍ରବଣ ଅଞ୍ଚଳରେ ରାସ୍ତା ସଫା ପାଇଁ ମାଟିଖୋଳା ଓ ଗଛକଟା ଯନ୍ତ୍ର ପ୍ରସ୍ତୁତ ରଖାଯାଇଛି।ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆମ୍ବୁଲାନ୍ସ, ଜରୁରୀ ଚିକିତ୍ସା ସେବା ଓ ବିଦ୍ୟୁତ୍ ବିଭ୍ରାଟ ସମୟରେ ବ୍ୟବହାର ପାଇଁ ଜେନେରେଟର ବ୍ୟବସ୍ଥା ମଧ୍ୟ ସଜାଗ ରଖାଯାଇଛି। ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ଜରୁରୀ ପରିସ୍ଥିତିରେ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

