ଭୁବନେଶ୍ୱର, ୧୧/୦୮(ପାଇକପୁଅ) ଶୈଳେଶ୍ରୀ ବିହାର, ଚନ୍ଦ୍ରଶେଖରପୁର ସ୍ଥିତ ସୁନୀଲ ଡ୍ୟାନ୍ସ ଏକାଡେମୀର ୧୬ତମ ବାର୍ଷିକ ଉତ୍ସବ ନିକଟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ୬ ଓ ୭ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ ଓ ଶ୍ରୀମତୀ ଯଶୋଧରା ପ୍ରଧାନ, ଶିକ୍ଷାବିତ ତଥା ସମାଜସେବୀ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମାଜସେବୀ ଶ୍ରୀମତୀ ଅଜିତା ଚୌଧୁରୀ ଏବଂ କଳିଙ୍ଗ ଯୁବକ କ୍ଲବର ସମ୍ପାଦକ ଶ୍ରୀ କମଳାକାନ୍ତ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ଏକାଡେମୀର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ଶିକ୍ଷା ସହିତ ସହଶିକ୍ଷା କାର୍ଯ୍ୟକଳାପରେ ଅଂଶଗ୍ରହଣ ଶିଶୁମାନଙ୍କର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଭବିଷ୍ୟତର ଆହ୍ୱାନଗୁଡ଼ିକୁ ଦୃଢ଼ତାର ସହ ସାମ୍ନା କରିବା ପାଇଁ ବାଳିକାମାନଙ୍କୁ ସଶକ୍ତ ଓ ସୁଦୃଢ଼ କରିବା ନିମନ୍ତେ ସମସ୍ତଙ୍କୁ ସାମୂହିକ ଦାୟିତ୍ୱ ନେବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏକାଡେମୀର ପ୍ରୋପ୍ରାଇଟର ଶ୍ରୀ ସୁନୀଲ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଏକାଡେମୀର ଦୀର୍ଘ ଯାତ୍ରାରେ ସହଯୋଗ ଓ ସମର୍ଥନ ଯୋଗାଇ ଆସିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇବାସହ ଏକାଡେମୀର ଭବିଷ୍ୟତର କାର୍ଯ୍ୟକ୍ରମ ଓ ପ୍ରୟାସଗୁଡ଼ିକ ପାଇଁ ସମସ୍ତଙ୍କର ନିରନ୍ତର ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ୱଳନ ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନ୍ଦନା ଉପରେ ଏକ ମନୋମୁଗ୍ଧକର ଓଡ଼ିଶୀ ନୃତ୍ୟ ପରିବେଷଣ ଦ୍ୱାରା ହୋଇଥିଲା। ଏହାପରେ କୁନି କୁନି ଶିଶୁଙ୍କଠାରୁ ଆରମ୍ଭ କରି ବରିଷ୍ଠ ଗୋଷ୍ଠୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର କଳାକାରମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା ଶିଶୁମାନଙ୍କ ମା’ମାନଙ୍କ ଦ୍ୱାରା ପରିବେଷିତ “ସୁପର୍ ମମ୍ସ” ନୃତ୍ୟ। ଏହି ଅଭିନବ ପ୍ରଦର୍ଶନ ଦର୍ଶକମାନଙ୍କର ବିଶେଷ ପ୍ରଶଂସା ଓ ଉତ୍ସାହ ହାସଲ କରିଥିଲା। ଏହି ଅବସରରେ ଅନ୍ତର୍ଜାତୀୟ ଗଲ୍ଫ ଖେଳାଳି, ସୁପରିଚିତ ନୃତ୍ୟଶିଳ୍ପୀ ତଥା ସ୍ପାର୍କ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଶୁଭ୍ରା ସୁଭଦର୍ଶିନୀ ମିଶ୍ରଙ୍କୁ ଏକାଡେମୀ ପ୍ରତି ତାଙ୍କର ଅବଦାନ ଏବଂ ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ପାଇଁ ସମ୍ମାନିତ କରାଯାଇଥିଲା। ସୁପରିଚିତ ନୃତ୍ୟଶିଳ୍ପୀ ଶ୍ରୀମତୀ ମିତା ଦାସ, ଶିକ୍ଷାବିତ୍ ଶ୍ରୀମତୀ ସୁଜାତା ସୁଭଦର୍ଶିନୀ ପଟ୍ଟନାୟକ ଏବଂ ଏକାଡେମୀ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ପ୍ରସିଦ୍ଧ ଟେଲିଭିଜନ୍ ଶୋ’ ଆଙ୍କର ମାଷ୍ଟର ଶୁଭୋଜ୍ୟୋତ ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଢଙ୍ଗରେ ସଂଚାଳନା କରିଥିଲେ। ଶ୍ରୀମତୀ ସୁଧାଦୀପା ମହାନ୍ତି, ଅଭିଭାବକ, ଶୁଭେଚ୍ଛୁ ଏବଂ ଅନ୍ୟମାନଙ୍କର ସକ୍ରିୟ ସହଯୋଗ ଓ ସମନ୍ୱୟରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

