ଭୁବନେଶ୍ୱର,୦୮/୦୮(ପାଇକପୁଅ) ରାଜ୍ୟର ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁଁ ହଜାର ହଜାର ପରିବାର ବହୁତ କଷ୍ଟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ତାଙ୍କ ପାଖରେ ସରକାରୀ ସାହାଯ୍ୟ ପହଞ୍ଚି ପାରୁନାହିଁ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ରିଲିଫ୍ ସହାୟତା ପ୍ରଦାନ ପାଇଁ ନିବେଦନ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ରିଲିଫ୍ ସହାୟତାର ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବହୁ କଂଗ୍ରେସ ନେତୃବୃନ୍ଦ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ରିଲିଫ୍ କାର୍ଯ୍ୟ ନେଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଆଜି କଂଗ୍ରେସ ଭବନରେ ଏଆଇସିସି ଓଡ଼ିଶା ପ୍ରଭାରୀ ଲାଲଜି ଭାଇ ଦେଶାଇ, ଏଆଇସିସି ସମ୍ପାଦକ ଜେଟି କୁସୁମ କୁମାର, ରିଲିଫ୍ ପରିଚାଳନା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରିଲିଫ୍ ତଦାରଖ କମିଟିର ଅଧ୍ୟକ୍ଷ ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ, ସହ ଅଧ୍ୟକ୍ଷ ତଥା ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର, ପିସିସିର ପୂର୍ବତନ ସମ୍ପାଦକ ମିହିର ଆଚାର୍ଯ୍ୟ ଏବଂ ଅନ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତିରେ ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ ୧ଲକ୍ଷ ଟଙ୍କାର ଚେକ୍ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପ୍ରଦାନ କରିଥିବା ବେଳେ ଅନୁରୂପ ଭାବେ ଏକାମ୍ର ବିଧାୟକ ପାର୍ଥୀ ପ୍ରଶାନ୍ତ ଚମ୍ପତ୍ତି ଓ ଭୁବନେଶ୍ୱର ଉତ୍ତର ବିଧାୟକ ପାର୍ଥୀ ଅଶୋକ ଦାସ ପ୍ରତ୍ୟେକ ୫ ହଜାର ଟଙ୍କା ପିସିସିକୁ ପ୍ରଦାନ କରିଛନ୍ତି।
ଏହି କଠିନ ସମୟରେ ଆମ ସମସ୍ତଙ୍କୁ ଏକାଠି ହୋଇ ବନ୍ୟାପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ପଡ଼ିବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ଦାସ ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟ ଗତକାଲି ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ୫ଲକ୍ଷ ଟଙ୍କାର ଆର୍ଥିକ ରିଲିଫ୍ ସହାୟତା ରାଶିକୁ ତାଙ୍କ ସୁପୁତ୍ର ନବଜ୍ୟୋତି ପଟ୍ଟନାୟକ ପିସିସିକୁ ପ୍ରଦାନ କରିଥିଲେ ଏବଂ ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ ଶୁଭେଚ୍ଛୁଙ୍କୁ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ ସହଯୋଗ ପାଇଁ ପିସିସିକୁ ରିଲିଫ୍ ସହାୟତା ପ୍ରଦାନ ପାଇଁ ନିବେଦନ କରିଥିଲେ।

