ବାରିପଦା, ୦୧/୦୮(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ମାନେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ ଚ୍ୟାନେଲର ପ୍ରତିନିଧି, ସମ୍ପାଦକ ତଥା ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତା ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଦେଖାଯାଉଛି। ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁମାତ୍ର ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ବା ସମ୍ବାଦପତ୍ର ପ୍ରକାଶନ ହୋଇ ଆସୁଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ ଓ ମାଇକ ବ୍ୟବହାର କରି ୱେବ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ସେହିପରି, ରାସ୍ତାଘାଟରେ ଯାନବାହନ ତଥା ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି।ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ ମିଟରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସାମ୍ବାଦିକ ନଥାଇ ନିଜ ଦୁଇ ବା ଚାରି ଚକିଆ ଯାନରେ ପ୍ରେସ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି।ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକ ମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି।ଏଣୁ ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି।ଏବାବଦରେ ଜିଲ୍ଲାପାଳ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

