ବାରିପଦା,୨୩/୦୭(ପାଇକପୁଅ)ରାହୁଲ ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ବାରିପଦା ସହରରେ ଏକ ବିଶାଳ ବିକ୍ଷୋଭ ରାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବହୁ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।ସତ୍ୟସାଇ ଛକରୁ ବାହାରିଥିବା ବିକ୍ଷୋଭ ଶୋଭାଯାତ୍ରା ସହରର ପ୍ରମୁଖ ରାସ୍ତା ଦେଇ ଷ୍ଟିଲ ଗୋଲେଇ ପର୍ଯ୍ୟନ୍ତ ପରିକ୍ରମା କରି ଶେଷରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ସେଠାରେ ପ୍ରତିବାଦକାରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ନିଜ ଅସନ୍ତୋଷ ପ୍ରକାଶ କରିଥିଲେ।ରାଲି ସମୟରେ କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଗିରଫ ଏକ ଗଣତନ୍ତ୍ର ବିରୋଧୀ ପଦକ୍ଷେପ ଏବଂ ଏହା ରାଜନୈତିକ ପ୍ରତିହିଂସାର ପରିଚାୟକ। ଏହାର ପ୍ରତିବାଦ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବାକୁ ଦଳ ଦାବି କରିଥିଲାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ କହିଥିଲେ ଯେ, ଦେଶରେ ବିରୋଧୀ ଦଳର ସ୍ୱରକୁ ଦମନ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସଂସ୍ଥାର ଦୁରୁପଯୋଗ କରୁଛନ୍ତି।ଯଦି ଏଭଳି କାର୍ଯ୍ୟ ଜାରି ରହେ, ତେବେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି କହିଥିଲେ।

