ବାରିପଦା,୨୧/୦୭(ପାଇକପୁଅ)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ବ୍ୟୁରୋ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ରଥଯାତ୍ରା ସ୍ୱତନ୍ତ୍ର ସେବା ଶିବିର–୨୦୨୬ ଆୟୋଜିତ ହୋଇଯାଇଛି। ଏହି ସେବା ଶିବିରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଉଦଘାଟନ କରି ନିଜ ବକ୍ତବ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରାରେ ଏନଏସଏସ ସ୍ୱେଚ୍ଛାସେବୀ ମାନଙ୍କର ନିଷ୍ଠାପର ସେବା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ଏବଂ ସମାଜ ପାଇଁ ପ୍ରେରଣା ଦାୟକ ବୋଲି କହିବା ସହ ଯୁବପିଢ଼ି ମଧ୍ୟରେ ସେବା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବାରେ ଏନଏସଏସର ଭୂମିକା ଅତୁଳନୀୟ ବୋଲି କହିଥିଲେ।ଏହି ଶିବିରରେ ବିଶ୍ୱବିଦ୍ୟାଳୟର ଏନଏସଏସ ପି.ଜି. ପୁରୁଷ ଓ ମହିଳା ୟୁନିଟ ସମେତ ଏମପିସି କଲେଜ, ମହିଳା ମହାବିଦ୍ୟାଳୟ, ବାରିପଦା କଲେଜ, ଏମସିଏଏମ କଲେଜ, ଏସସିବି କଲେଜ, ବି.ବି. କଲେଜ ଏବଂ ଶ୍ରୀମା ମହାବିଦ୍ୟାଳୟର ପ୍ରାୟ ୧୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ସ୍ୱେଚ୍ଛାସେବୀ ମାନେ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ପରିବେଶ ପରିଷ୍କାର, ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ବଣ୍ଟନ ଏବଂ ଆବଶ୍ୟକ ସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ସହଯୋଗ କରିଥିଲେ।ଏନଏସଏସ ବ୍ୟୁରୋର ସଂଯୋଜକ ଡ଼. ପ୍ରିୟ ରଞ୍ଜନ ଦେବତାଙ୍କ ତତ୍ତ୍ୱାବଧାନରେ ପି.ଜି. ପୁରୁଷ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଡ଼. ଯତୀନ୍ଦ୍ରନାଥ ବେଶ୍ରା, ପି.ଜି. ମହିଳା ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଡ଼. ପ୍ରିୟଙ୍କା ଦାସ ଏବଂ ଅଂଶଗ୍ରହଣକାରୀ ମହାବିଦ୍ୟାଳୟ ମାନଙ୍କର କାର୍ଯ୍ୟକ୍ରମ ଅଧିକାରୀ ଡ଼. ପ୍ରିୟବ୍ରତ ବେହେରା, ରୂପାଲି ବିଶୋଇ, ସୁଶ୍ରୀ ନାୟକ, ଯମୁନା ମାଝୀ, ଜ୍ୟୋତ୍ସ୍ନା ରାଣୀ ଦତ୍ତ, ସରୋଜ କୁମାର ବେହେରା, ଆନନ୍ଦ ଶଙ୍କର ଆଚାର୍ଯ୍ୟ, ମିସ ସ୍ୱର୍ଣ୍ଣକାନ୍ତା, ଡ଼. ପ୍ରିୟନ୍ତ୍ରତା ବେହେରା ପ୍ରମୁଖ ସହଯୋଗ କରିଥିଲେ।

