ବାରିପଦା, ୨୨/୦୭(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାରେ ସମନ୍ୱିତ ଓ ସ୍ଥାୟୀ ଗ୍ରାମୀଣ ବିକାଶକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭେଲପମେଣ୍ଟ (ସିୱାଇଡିଏସ ) ପକ୍ଷରୁ ଏଚଡିଏଫସି ବ୍ୟାଙ୍କର ଆର୍ଥିକ ସହଯୋଗରେ ପ୍ରକଳ୍ପ ସଙ୍କଳ୍ପର ଶୁଭାରମ୍ଭ ବାରିପଦାସ୍ଥିତ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ହେମକାନ୍ତ ସୟ ଙ୍କ ସହିତ ଡିଆରଡିଏର ମୁଖ୍ୟ ଉନ୍ନୟନ ଅଧିକାରୀ,
ଏଚଡିଏଫସି ବ୍ୟାଙ୍କର କ୍ଲଷ୍ଟର ହେଡ, ସିୱାଇଡ଼ିଏସ ର ଉତ୍ତର ଜୋନର ଜୋନାଲ ହେଡ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ପ୍ରକଳ୍ପଟି ଠାକୁରମୁଣ୍ଡା ବ୍ଲକର ୫ଟି ପଞ୍ଚାୟତ ଅନ୍ତର୍ଗତ ୨୦ଟି ଗ୍ରାମରେ କାର୍ଯ୍ୟକାରୀ ହେବ. ଏହାର ଲକ୍ଷ୍ୟ ହେଉଛି ପରିବାରର ଆୟ ବୃଦ୍ଧି, ମହିଳା ସଶକ୍ତିକରଣ, ଗୁଣାତ୍ମକ ଶିକ୍ଷା, ଜଳ ସଂରକ୍ଷଣ, ଜଳବାୟୁ ଅନୁକୂଳ କୃଷି, ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା।ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ଜଳସେଚନ, ଫଳବଗିଚା ବିକାଶ, କୃଷକଙ୍କ ଦକ୍ଷତା ବୃଦ୍ଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟୋଗ ବିକାଶ, ସ୍ମାର୍ଟ ଶିକ୍ଷା ପରିବେଶ, ଯୁବକ-ଯୁବତୀଙ୍କ କୌଶଳ ବିକାଶ ଏବଂ ସ୍ଥାନୀୟ ରୋଜଗାର ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସଭାରେ ଜିଲ୍ଲାପାଳ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ପ୍ରକଳ୍ପର ସଫଳ ରୂପାୟଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ।

