ବାରିପଦା, ୨୧/୦୭(ପାଇକପୁଅ) ସମଗ୍ର ଶିକ୍ଷା, ମୟୂରଭଞ୍ଜ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷରେ ଜିଲ୍ଲାର ୧୬ଟି ସ୍ଥାନରେ ଭିନ୍ନକ୍ଷମ ଶିଶୁମାନଙ୍କର ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା।ଏହି ଚିହ୍ନଟ ପ୍ରକ୍ରିୟାରେ ୫୮୮ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ମୟୂରଭଞ୍ଜର ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପୂର୍ବରୁ ଚିହ୍ନଟ ହୋଇଥିବା ଶିକ୍ଷାର୍ଥୀ ମାନଙ୍କୁ ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଉପକରଣ ବଣ୍ଟନ କରାଯାଇଛି।ଏହି କ୍ରମରେ ଲାଲବଜାର ସ୍ଥିତ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଠାରେ ଦୁଇଦିନିଆ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି।ଏଥିରେ ତିନୋଟି ବ୍ଲକର ମୋଟ ୯୪ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବଣ୍ଟନ କରାଯାଇଛି।ପ୍ରଥମ ଦିନରେ ମୋରଡା ବ୍ଲକର ୧୪ ଜଣ ଏବଂ ଶାମାଖୁଣ୍ଟା ବ୍ଲକର ୩୦ ଜଣ ଶିକ୍ଷାର୍ଥୀଙ୍କୁ ଉପକରଣ ବଣ୍ଟନ କରାଯାଇଥିବା ବେଳେ, ଦ୍ୱିତୀୟ ଦିନରେ ବାରିପଦା ବ୍ଲକ ଓ ପୌରାଞ୍ଚଳର ୫୦ ଜଣ ଶିକ୍ଷାର୍ଥୀଙ୍କୁ ଅତିଥିମାନେ ଉପକରଣ ପ୍ରଦାନ କରିଥିଲେ।ଏହି ଉପକରଣ ଗୁଡ଼ିକର ବ୍ୟବହାର ଦ୍ୱାରା ଶିଶୁମାନଙ୍କର ଚଳନ କ୍ଷମତା ଏବଂ ଅନ୍ୟାନ୍ୟ ଅଙ୍ଗର କାର୍ଯ୍ୟକ୍ଷମତାରେ ଉନ୍ନତି ଆସିବା ଫଳରେ ସେମାନେ ନିୟମିତ ଭାବେ ବିଦ୍ୟାଳୟକୁ ଯାଇ ଶିକ୍ଷାଗ୍ରହଣ କରିବା ସହିତ ଲେଖାପଢ଼ା ଓ ଦୈନନ୍ଦିନ କାର୍ଯ୍ୟ ସହଜରେ ସମ୍ପାଦନ କରିପାରିବେ। ପ୍ରଥମ ଦିନର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ) ବିନୋଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦ୍ୱିତୀୟ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହି ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କର ଅଭିଭାବକଙ୍କୁ ଉପକରଣ ବଣ୍ଟନ କରିବା ସହିତ ଏହାର ସଠିକ୍ ବ୍ୟବହାର, ନିୟମିତ ଅଭ୍ୟାସ, ଶିକ୍ଷାରେ ସକ୍ରିୟ ଅଂଶଗ୍ରହଣ ଏବଂ ଶିଶୁମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ମୟୂରଭଞ୍ଜର ବରିଷ୍ଠ ପ୍ରୋସ୍ଥେଟିଷ୍ଟ ଓ ଅର୍ଥୋଟିଷ୍ଟ ବିପିନ ବିହାରୀ ବେହେରା, ଅଭିଷେକ ଶା, ତାପସ କୁମାର ପ୍ରଧାନ ଉପସ୍ଥିତ ରହି ଉପକରଣଗୁଡ଼ିକର ସଠିକ୍ ଓ ନିୟମିତ ବ୍ୟବହାର ସମ୍ପର୍କରେ ଶିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ସମଗ୍ର ଶିକ୍ଷା, ମୟୂରଭଞ୍ଜର ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ଉପସ୍ଥିତ ରହି ଅଭିଭାବକ ମାନଙ୍କୁ, ନିଜ ପିଲାଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ସହ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ଗ୍ରହଣ କରିବା ସମ୍ପର୍କରେ ସଚେତନ କରିଥିଲେ. ଶିବିର ସୁପରିଚାଳନାରେ ମୋରଡା, ଶାମାଖୁଣ୍ଟା ଏବଂ ବାରିପଦା ବ୍ଲକର ଅନ୍ତର୍ନିବେଶୀ ସାଧନ କର୍ମୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

