ବାରିପଦା,, (ପାଇକପୁଅ) ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କନଭେନସନ ହଲରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ସହ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ, ସମାଜର ଶେଷ ସ୍ତରର ଲୋକଙ୍କ ପାଖରେ ସରକାରଙ୍କ ଜନହିତକର ଯୋଜନାକୁ ପହଞ୍ଚାଉଥିବା ପ୍ରମୁଖ ଆଧାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ। ଏଣୁ ସେମାନଙ୍କ ତୃଣମୂଳ ସ୍ତରର ସମସ୍ୟାର ସମାଧାନ ଏବଂ କାର୍ଯ୍ୟପରିବେଶର ଉନ୍ନତି ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ. ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମିର ବିକାଶ, ପାଚେରି ନିର୍ମାଣ, ସୁପରଭାଇଜର ପଦବୀ ପୂରଣ, ଏସ.ଏନ.ପି. ଅନ୍ତର୍ଗତ ଅଣ୍ଡାର ମୂଲ୍ୟ ବୃଦ୍ଧି ସମେତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରୁଛନ୍ତି. ସେହିପରି ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା ଜିଲ୍ଲା ଓ ବ୍ଲକ ସ୍ତରରେ ଚାଲିଥିବା ବିଷୟ ମଧ୍ୟ ସେ ସୂଚନା ଦେଇଥିଲେ।ଏହି ଅବସରରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମାଜରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟି ଓ ପ୍ରାରମ୍ଭିକ ଶିକ୍ଷାର ଦୃଢ଼ ଭିତ୍ତି ସୃଷ୍ଟି କରୁଛନ୍ତି. ସେମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ସରକାରଙ୍କ କଲ୍ୟାଣ ମୂଳକ ଯୋଜନାଗୁଡ଼ିକ ସଫଳତାର ସହ ଲୋକଙ୍କ ନିକଟରେ ପହଞ୍ଚିପାରୁଛି। ସରକାର ସେମାନଙ୍କ କାର୍ଯ୍ୟକୁ ସର୍ବଦା ସମ୍ମାନ ଦେବା ସହ ସେମାନଙ୍କ କଲ୍ୟାଣ ଓ ସୁବିଧା ପ୍ରତି ପ୍ରତିବଦ୍ଧ ବୋଲି କହିଥିଲେ।
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୦୦ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉପମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ମତବିନିମୟ କରିଥିଲେ । ଏହି ଅବସରରେ ସେମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ପରାମର୍ଶ ଓ ଦାବି ଉପସ୍ଥାପନ କରିଥିଲେ. ଉପମୁଖ୍ୟମନ୍ତ୍ରୀ ସେଗୁଡ଼ିକର ଗୁରୁତ୍ୱର ସହ ସମୀକ୍ଷା କରି ଯଥାଶୀଘ୍ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ କୃତିବାସ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

