କୋଣାର୍କ, ୦୬/୦୭(ପାଇକପୁଅ) ନିଶା ପାଇଁ ଅକାଳରେ ଶେଷ ହୋଇଗଲା ଜୀବନ।ନିଶାର କୁ -ପରିଣାମ ଦେଖିବାକୁ ମିଳିଛି କୋଣାର୍କ ଏନ୍ ଏ ସି ଅଧିନ ୱାର୍ଡ ନଂ ୧୦ ମାଧିପୁର ଗ୍ରାମରେ। ମାଧିପୁର ଗ୍ରାମର ଜଣେ ଯୁବକ ନିଶା ଖାଇବାକୁ ଟଙ୍କା ନ ପାଇବାରୁ ନିଜ ଘରେ ବେକରେ ଗାମୁଛା ବାନ୍ଧି ନିଜ ଜୀବନକୁ ଶେଷ କରିଦେଇଛି।ସୂଚନାରୁ ଜଣାପଡେକି କୋଣାର୍କ ଥାନା ଅଧୀନ ମାଧିପୁର ଗ୍ରାମର ସ୍ୱର୍ଗତଃ ତ୍ରିଲୋଚନ ପାଢ଼ୀଙ୍କ ସାନ ପୁଅ କ୍ଷେତ୍ରମୋହନ ପାଢ଼ୀ (୩୫ବର୍ଷ) ଓରଫ୍ ଫିଲୁ ନିଜ ଶୋଇବା ଘର ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ତାଙ୍କ ବଡ଼ ଭାଇ ଥାନାରେ ଅଭିଯୋଗ କରିଅଛନ୍ତି।ମୃତକ ଫିଲୁ କୋଣାର୍କ ସୂର୍ଯ୍ୟମନ୍ଦିରରେ ଗାଇଡ କରୁଥିବା ବେଳେ ଆସ୍ତେ ଆସ୍ତେ ବ୍ରାଉନ ସୁଗାର ପରି ନିଶାରେ କବଳିତ ହୋଇ ପଡ଼ିଥିଲେ।ଦିନକୁ ଦିନ ନିଶାର ପ୍ରଭାବ ବଢ଼ି ଚାଲିଥିବା ବେଳେ ଅର୍ଥ ସମସ୍ୟା ଦେଖାଯାଇଥିଲା।ଫଳରେ ଫିଲୁ ଘରେ ନିଜ ବୋଉଙ୍କ ଠାରୁ ପଇସା ନେବା ଓ ପରବର୍ତ୍ତୀ ସମୟରେ ପଇସା ନମିଳିବାରୁ ଏପରି ଚରମ ନିଷ୍ପତି ନେଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ନିଜ ଶୋଇବା ଘରେ ଥିବା ଫ୍ୟାନରେ ନିଜ ବେକରେ ଗାମୁଛା ବାନ୍ଧି ଝୁଲି ପଡିଥିଲା।ସକାଳୁ ପରିବାର ଲୋକ କବାଟ ଖୋଲି ଦେଖିଲା ବେଳକୁ ସେ ଆତ୍ମହତ୍ୟା କରି ପଙ୍ଖା ରେ ଝୁଲି ରହିଛି ।ତୁରନ୍ତ ପରିବାର ଲୋକ କୋଣାର୍କ ଥାନାକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ପହଁଚି ମୃତ କ୍ଷେତ୍ରମୋହନ ଶବକୁ ଜବତ କରି ୧୪/୨୬ ରେ ଏକ ଅପମୃତ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଡାକ୍ତରଖାନା ପଠାଇ ଦେଇଥିବା କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢିହାରୀ ପ୍ରକାଶ କରିଛନ୍ତି।ଏଠାରେ ସୂଚନା ଥାଉ ପାରେକି କୋଣାର୍କ ତଥା ଆଖପାଖ ଅଞ୍ଚଳରେ ବ୍ରାଉନସୁଗାର ,ଚରସ, ହେରୋଇନ ପରି ମାରାତ୍ମକ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଯୁବ ସମାଜ ପଥଭ୍ରଷ୍ଟ ହେଇଥିବା ପରିଲିଖିତ ହୋଇଛି।ଅବକାରୀ ବିଭାଗ କେବଳ ଚୋର ମଦ ବେପାରୀଙ୍କ ପଛରେ ପଡ଼ିଥିବା ବେଳେ ଏହି ନିଷିଧ ନିଶାର ବେପାର ବଢ଼ି ଚାଲିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବ୍ରାଉନସୁଗାର, ହେରୋଇନ ପରି ମାରାତ୍ମକ ନିଶାର ବେପାର ସରକାରୀ ସ୍ତରରେ ବ୍ୟାନ ରହିଥିବା ବେଳେ ଏହାର ବ୍ୟବସାୟ କିପରି ବୃଦ୍ଧି ପାଉଛି ତାହା ଆଲୋଚ୍ୟର ବିଷୟ ପାଲଟିଛି। ଯଦି ଏହି ଅବାଧ ନିଶାର ବ୍ୟବସାୟ ବନ୍ଦ କରାନଯାଏ,ତେବେ ଅନେକ ଯୁବକ ଅକାଳରେ ଝଡି ପଡିବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା ବ୍ୟକ୍ତ କରିଅଛନ୍ତି। ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି।

