ଭୁବନେଶ୍ୱର, ୦୪/୦୭(ପାଇକପୁଅ)ସାହିତ୍ୟିକ ତଥା ଅବସରପ୍ରାପ୍ତ ଆଇ ଏ ଏସ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ବିୟୋଗରେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟସଂସ୍ଥା ପଞ୍ଚଧ୍ୱନି ନାଟ୍ୟ ପରିଷଦର ରାଧାକୃଷ୍ଣ ନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କର ସ୍ମୃତିଚାରଣ କରିବା ସହିତ ଦିବଂଗତଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଦୀର୍ଘ ଦିନ ଧରି ସେ ପଞ୍ଚଧ୍ୱନି ନାଟ୍ୟ ପରିଷଦର ମୁଖ୍ୟ ଉପଦେଷ୍ଟା ଥିବା ସହିତ ନାଟ୍ୟ ସଂସ୍ଥାର ଉନ୍ନତି ପରିକଳ୍ପେ ସର୍ବଦା ଚେଷ୍ଟିତ ଥିଲେ। କେବଳ ପଞ୍ଚଧ୍ୱନି ନୁହେଁ ଭୁବନେଶ୍ୱରର ପ୍ରତିଟି ନାଟ୍ୟ ସଂସ୍ଥା ସହ ତାଙ୍କର ସୁସମ୍ପର୍କ ଥିଲା ଓ ଜଣେ ବିଜ୍ଞ ଦର୍ଶକ ଭାବରେ ସବୁ ନାଟକକୁ ପ୍ରେକ୍ଷାଳୟର ଆଗ ଧାଡ଼ିରେ ବସି ନିୟମିତ ଦେଖୁଥିଲେ। ସେ ଜଣେ ଉଚ୍ଚକୋଟିର ରମ୍ୟ ରଚନାକାର ଓ ତାଙ୍କର ଏକାଧିକ ଭ୍ରମଣ କାହାଣୀ ପୁସ୍ତକ ଆକାରରେ ପ୍ରକାଶିତ ହୋଇଅଛି। ଜୟଦେବଙ୍କ ଗୀତଗୋବିନ୍ଦକୁ ସେ ଓଡ଼ିଆ ପଦ୍ୟାବଳୀରେ ନିଜସ୍ଵ ଶୈଳୀରେ ଅନୁବାଦ କରି ସାହିତ୍ୟିକ ଓ ସଙ୍ଗୀତଜ୍ଞଙ୍କ ମହଲରେ ପ୍ରଶଂସିତ ହୋଇଥିଲେ। ନିକଟରେ ପ୍ରାଚୀନ କୌଣ୍ଡିନ୍ୟ ରାଜବଂଶ ଓ କଳିଙ୍ଗବୀରଙ୍କ ଇତିହାସ ଆଧାରିତ ‘କାବ୍ୟ କୌଣ୍ଡିନ୍ୟ’ ନାମକ ଏକ ରୋମାଞ୍ଚକର ଗୀତି କାବ୍ୟ ରଚନା କରି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ‘ସମ୍ବାଦ କଳିକା’ ଦୈନିକରେ ପ୍ରତି ଶନିବାର ନିୟମିତ ଭାବେ ତାଙ୍କର ସ୍ତମ୍ଭ ଗତ ବାର ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିଲା । ତାଙ୍କର ନାଟ୍ୟ ପ୍ରୀତି, ସର୍ଜନଶୀଳ ପ୍ରତିଭା ଓ ଅମାୟିକ ବ୍ୟବହାର ପାଇଁ ସେ ସମସ୍ତଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ ବୋଲି ଶୋକ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ଶୋକସଭାରେ ନାଟ୍ୟକାର ତଥା ପଞ୍ଚଧ୍ୱନି ନାଟ୍ୟ ପରିଷଦର ଅଧ୍ୟକ୍ଷ ପଞ୍ଚାନନ ଦାଶଙ୍କ ସମେତ କରୁଣାକର ସାମଲ, ପ୍ରକାଶ ମହାରଣା, ଜ୍ୟୋତିରଞ୍ଜନ ରାୟ, ସନ୍ତୋଷ କୁମାର ପଟ୍ଟନାୟକ, ମଳୟ କୁମାର ମହାନ୍ତି, କେ. ଚନ୍ଦ୍ର ଶେଖର ସୁବୁଦ୍ଧି ଆଦି କର୍ମକର୍ତ୍ତା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

