ମାଲକାନଗିରି,୦୪/୦୭ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ କୁନିଗୁଡା ଗ୍ରାମରେ ଆନ୍ଧ୍ରପ୍ରଦେଶ ମୂଞ୍ଚିମପୁଟ ପୋଲିସ ଗ୍ରାମର ପୁରୁଷ ଏବଂ ମହିଳା ମାନଙ୍କୁ ବିନା ନୋଟିସ ରେ ଗ୍ରାମ ଭିତରେ ପଶି ନିଜ ମନମୁତାବକ ଗିରଫ କରି ନେଇଯାଉଥିବା ଘଟଣା ଖବର ପ୍ରକାଶ ପାଇବା ପରେ ଆଜି ଉକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ବିଧାୟକ ଶ୍ରୀ ଖିଲ ପହଞ୍ଚି କେଉଁ କାରଣ ହେତୁ ଗ୍ରାମବାସୀ ଙ୍କୁ ଆନ୍ଧ୍ର ପୋଲିସ ଆସି ନିଜ ମନମୁତାବକ ରାତି ଅଧିଆ ଓଡିଶା ପୋଲିସ କୁ ନ ଜଣାଇ ଗିରଫ କରି ନେଉଛି ଏବଂ କେଉଁ କାରଣ ହେତୁ ଆନ୍ଧ୍ର ପୋଲିସ ତାର ଏଭଳି ମନମାନି ଚଳାଇଛି ସେ ସମ୍ପୂର୍ଣ ବିଷୟ ଜାଣିବା ନିମନ୍ତେ ବିଧାୟକ ଶ୍ରୀ ଖିଲ ଆଜି ସ୍ୱାଭିମାନ ଅଂଚଳ ଗସ୍ତରେ ଯାଇ କୁନିଗୁଡା ଗ୍ରାମରେ ପହଞ୍ଚିଥିଲେ। ଲଗାଣ ବର୍ଷା ହେତୁ ଗ୍ରାମରେ ଥିବା ବିଦ୍ୟାଳୟ ଶ୍ରେଣୀ ଗୃହରେ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା। ବିଧାୟକ ଶ୍ରୀ ଖିଲ ସିଧାସଳଖ ଗ୍ରାମବାସୀ ଙ୍କ ସମସ୍ୟା ପଚାରି ବୁଝିଥିଲେ। ଗ୍ରାମର ମହିଳାମାନେ ଗତ ୩ ବର୍ଷରୁ ଉର୍ଦ୍ଧ୍ବ ଧରି ଆନ୍ଧ୍ର ପୋଲିସ ର କିପରି ଜୁଲମ ସହୁଥିବା ତାହା ବିଧାୟକ ଙ୍କ ସମ୍ମୁଖରେ ବଖାଣିଥିଲେ। ପରେ ଗ୍ରାମବାସୀଙ୍କ ସମସ୍ତ ସମସ୍ୟା ଶୁଣି ସେ ମାଲକାନଗିରି ଏସପି ଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ଗସ୍ତରେ ସମୟରେ ବିଧାୟକ ଶ୍ରୀ ଖିଲ ଙ୍କ ସମେତ ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

