ମାଲକାନଗିରି,୨୫/୬(ସୁଧାଂଶୁ ଶେଖର ମହାନ୍ତି)ବନ୍ୟପ୍ରାଣୀ ଚୋରା ଚାଲାଣ ବିରୋଧରେ ମାଲକାନଗିରି ବନ ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ଗୁପ୍ତ ସୂଚନା ଆଧାରରେ ମାଲକାନଗିରି ରେଞ୍ଜ ପକ୍ଷରୁ ଗୁରୁବାର ଜାତୀୟ ରାଜପଥ-୩୨୬ ଅନ୍ତର୍ଗତ ପଦ୍ମଗିରି ଛକ ନିକଟରେ ଏକ ସ୍ୱତନ୍ତ୍ର ଯାନବାହନ ଯାଞ୍ଚ ଅଭିଯାନ ଚାଲାଯାଇଥିଲା। ଯାଞ୍ଚ ସମୟରେ ଓଡି-୦୭ସି-୯୯୨୧ ନମ୍ବର ବିଶିଷ୍ଟ ଏକ ବୋଲେରୋ ପ୍ଲସ୍ ଗାଡ଼ିକୁ ଅଟକାଇ ତଲାସି କରାଯାଇଥିଲା। ତଲାସି ବେଳେ ଗାଡ଼ି ଭିତରୁ ଅବୈଧ ଭାବେ ପରିବହନ କରାଯାଉଥିବା ମୋଟ ୩୧୧ଟି କଇଁଛ ଉଦ୍ଧାର କରାଯାଇଥିଲା। ଏହାର ମୋଟ ଓଜନ ପ୍ରାୟ ୫.୭ କ୍ୱିଣ୍ଟାଲ ବୋଲି ଜଣାପଡ଼ିଛି। ଜବତ କଇଁଛମାନଙ୍କ ମଧ୍ୟରୁ ୨୮୮ଟି ଜୀବିତ ଥିବାବେଳେ ୨୩ଟି ମୃତ ଅବସ୍ଥାରେ ଥିଲେ। ବନ ବିଭାଗ ପକ୍ଷରୁ ଗାଡ଼ି ସହ ସମସ୍ତ କଇଁଛକୁ ଜବତ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିଫ ବ୍ୟକ୍ତି ମାନେ ହେଲେ ଏମପିଭି ୬୫ ଗ୍ରାମର ରବୀନ ମିର୍ଧା, ଆନ୍ଧ୍ରପ୍ରଦେଶ ର ସିଦଲା ରାଜ ରେଡି ଓ ଅମର ନାଥ ବୋଲି ଖଣ୍ଡିୟ ବନ ଅଧିକାରୀ ସାଇ କିରଣ ଡିଏନ ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ଜୀବିତ କଇଁଛମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ଯତ୍ନ ପ୍ରଦାନ କରାଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ବନ୍ୟପ୍ରାଣୀ ତସ୍କରି ବିରୋଧରେ ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି।

