ବାରିପଦା,୨୦/୦୬(ପାଇକପୁଅ) ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ.ସି.ବି.) ମେଡିକାଲ କଲେଜ ପରିସରସ୍ଥ ହେରିଟେଜ୍ ହଲ୍ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏସ.ସି.ବି. ରକ୍ତ ସଞ୍ଚାରଣ ବିଭାଗ ଓ ରକ୍ତ ଭଣ୍ଡାର ପକ୍ଷରୁ ଆୟୋଜିତ ଏହି ବିରାଟ ସଭାରେ ସାରା ଓଡ଼ିଶାର ନିୟମିତ ରକ୍ତଦାତାମାନଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କର ମହତ୍ତର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ, ମୟୂରଭଞ୍ଜ ଜିଲ୍ଲା ବାରିପଦାର ବିଶିଷ୍ଟ ତଥା ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ତାଙ୍କର ଅତୁଳନୀୟ ସେବା ପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ କରାଯାଇ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ ଯେ, ଡଃ ପୋଥାଳ ଆଜି ସୁଦ୍ଧା ମୋଟ ୧୩୭ ଥର ନିୟମିତ ଭାବେ ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ସହ ସମାଜ ପାଇଁ ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ଏହି ସଭା କାର୍ଯ୍ୟରେ ଏସ.ସି.ବି. ଟ୍ରାନସ୍ଫୁଜନ ମେଡିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା, ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ, ଏସ.ବି.ଟି.ସି. ଯୁଗ୍ମ ନିର୍ଦ୍ଦେଶକ (ବ୍ଲଡ୍ ସେଫ୍ଟି) ଡାକ୍ତର ଦେବାଶିଷ ମିଶ୍ର, ଏସ.ସି.ବି. ଆଡମିନ୍ ଅଫିସର ଡାକ୍ତର ସୁବାସଚନ୍ଦ୍ର ରାଉତ ଏବଂ ଆସୋସିଏଟ୍ ପ୍ରଫେସର ଡାକ୍ତର ସୁସ୍ମିତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରକ୍ତଦାନର ଉପକାରିତା ଓ ସମାଜରେ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ରକ୍ତଦାତାମାନଙ୍କୁ ମାନବ ସେବାର ଅସଲ ସାରଥି ବୋଲି ଅଭିହିତ କରି ଉତ୍ସାହିତ କରିଥିଲେ।
ଏହି ଗୌରବଜନକ ସମ୍ମାନ ଗ୍ରହଣ କରିବା ପରେ ଡଃ ନିରୋଜ କୁମାର ପୋଥାଳ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ରକ୍ତଭଣ୍ଡାରର ସମସ୍ତ କର୍ତ୍ତୃପକ୍ଷ, ଡାକ୍ତର ଏବଂ କର୍ମଚାରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବାରିପଦା ତଥା ସମଗ୍ର ମୟୂରଭଞ୍ଜ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।

