କୋଣାର୍କ, ୨୧/୦୫(ପାଇକପୁଅ)କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ରିଙ୍ଗରୋଡ, ଅର୍ବାନହାଟ ସମ୍ମୁଖ, ପୋଷ୍ଟ ଅଫିସ୍ ସମ୍ମୁଖ, ମେଡିକାଲ ଛକ,ଥାନା ଛକ ଆଦି ରାସ୍ତା ପାର୍ଶ୍ୱ ଡ୍ରେନକୁ ଜବର ଦଖଲ କରି ହୋଇଥିବା ଦୋକାନ ଗୁଡିକୁ ବୁଧବାର ପୂର୍ବାହ୍ନରେ ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି। କୋଣାର୍କରେ ଦିନକୁ ଦିନ ଜବର ଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ନବଗ୍ରହ ମନ୍ଦିର ପ୍ରବେଶ ପଥ ମୁଖ୍ୟ ରାସ୍ତା ଓ ଡ୍ରେନ୍ ଉପରେ ଛୋଟ ଛୋଟ ଦୋକାନ ହୋଇଥିବାରେ ଯାହାକି ବର୍ଷାଦିନେ ଜଳ ନିଷ୍କାସନ ସହ ଟ୍ରାଫିକ ସମସ୍ୟା ଉପୁଜିଥିଲା।ସେହିପରି ଲାବଣ୍ୟ ଛକ ଠାରୁ ଆଇ ଓ ସି ଏଲ ଫାଟକ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଉନ୍ନୟନ କାର୍ଯ୍ୟ କରାଯିବ ନିମନ୍ତେ ପ୍ରସ୍ତାବ ରହିଥିବା ବେଳେ ଜବରଦଖଲ ସମସ୍ୟା ରହିଥିଲା।ଏନେଇ ଏନ୍ ଏ ସି ପ୍ରଶାସନ ପକ୍ଷରୁ ସାତ ଦିନ ପୂର୍ବରୁ ଡ୍ରେନ୍ ଉପରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ମାଧ୍ୟମରେ ଅବଗତ କରାଯାଇଥିଲା। ତେଣୁ ବୁଧବାର ପୂର୍ବାହ୍ନରେ କାର୍ଯ୍ୟନିର୍ବାହୀ ଅଧିକାରୀ, ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଥିଲା।ସେହିପରି ପ୍ରଶାସନକୁ ଚ୍ୟାଲେଞ୍ଜ କରି ସୂର୍ଯ୍ୟମନ୍ଦିର ନିକଟ ନବଗ୍ରହ ମନ୍ଦିର ରାସ୍ତା ମଝିରେ ଦୋକାନ ଗୁଡିକ ଯିବା ଆସିବାରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲିଖିତ ହୋଇଛି। ଏନେଇ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ।ଅନ୍ୟପଟେ ବ୍ୟବସାୟୀ ମାନଙ୍କୁ ସ୍ଥାୟୀ ଥଇଥାନ କରିବା ନିମନ୍ତେ ଭେଣ୍ଡି ଜୋନ ନିର୍ମାଣ କରିବା ପାଇଁ ବ୍ୟବସାୟୀ ମାନେ ଦାବୀ କରିଥିବା ଜଣାପଡିଛି।

