ମାଲକାନଗିରି,୧୯/୦୫ (ସୁଧାଂଶୁ ଶେଖର ମହାନ୍ତି)
ସରକାରୀ ଜାଗାରେ ରାଜ୍ୟ ରାଜପଥକୁ ଲାଗି ବେଆଇନ ଭାବେ ନିର୍ମାଣ ହୋଇଛି ଦୋକାନ ଗୃହ, ଘଟଣା ବିଷୟରେ ପ୍ରଶାସନ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା। ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି-ଜୟପୁର ମୁଖ୍ୟ ରାସ୍ତାର ବାଲିମେଳା ଛକ ନିକଟରେ ଥିବା ହାରକିସ ଶର୍ମା ରାଇସ ମିଲ ନିକଟରେ। ମିଳିଥିବା ସୂଚନା ମୁତାବକ ଶ୍ରୀ ଶର୍ମା ଆଜିକୁ ଦୀର୍ଘ ବର୍ଷ ହେବ ରାଇସ ମିଲ କରିଥିବା ବେଳେ ନିଜ ଜାଗାର ସୀମା ବାହାରକୁ ଯାଇ ବର୍ତ୍ତମାନ ଦୋକାନ ଗୃହ ରାଜ୍ୟ ରାଜପଥ କୁ ଲାଗି ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଛି। ନିଜ ମନ ମୁତାବକ ସରକାରୀ ଜାଗା ଉପରେ ଏହିପରି ବେଆଇନ ଭାବେ ଦଖଲ କରି ଏକ ହୋଣ୍ଡା ବାଇକ ସୋ ରୁମ ନିମନ୍ତେ ଅଗ୍ରୀମ ଲକ୍ଷାଧିକ ଟଙ୍କା ନେଇ ଉକ୍ତ ଦୋକାନ ଗୃହ ଗୁଡିକରୁ ଭଡା ଆଦାୟ କରୁଥିବା ଦେଖିବାକୁ ମିଳିଛି। ଏନେଇ ରାଜସ୍ୱ ବିଭାଗ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଆମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ତ୍ରିନାଥ ପ୍ରଧାନ ଙ୍କୁ ପଚାରିବାରୁ ବେଆଇନ ଭାବେ ଶ୍ରୀ ଶର୍ମା ସରକାରୀ ଜାଗା ଉପରେ ଦୋକାନ ଗୃହ ନିର୍ମାଣ କରିଥିବା କହିଥିଲେ। ତେଣୁ ଏନେଇ ବିଭାଗ ପକ୍ଷରୁ ନୋଟିସ ଦିଆଯିବ ଏବଂ ଯଦି ୧ ମାସ ଭିତରେ ସେ ସରକାରୀ ଜାଗାରେ ମାଡି ବସି ନିର୍ମାଣ କରିଥିବା ଦୋକାନ ଗୃହ କୁ ନ ଭାଙ୍ଗନ୍ତି ତାହେଲେ ରାଜସ୍ୱ ବିଭାଗ ଭାଙ୍ଗିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି। ଏନେଇ ଆମେ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡା ଙ୍କୁ ପଚାରିବାରୁ ସେ ଡିମାର୍କେସନ କରାଇ ଜବରଦଖଲ କରିଥିବା ଜାଗାର ଦୋକାନ ଗୃହ ଭୁଷୁଳାଇବା ସହ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ତେବେ ରାଜ୍ୟ ରାଜପଥ କଡରେ ସରକାରୀ ଜମି ଜବରଦଖଲ କରି ଷ୍ଟଲ ନିର୍ମାଣ ସହ ବେସରକାରୀ ମୋଟରଯାନ କମ୍ପାନୀ କୁ ଏହିପରି ଲକ୍ଷାଧିକ ଟଙ୍କା ନେଇ ଭଡା ଆଦାୟ କରିବା ଘଟଣା ରେ ଶ୍ରୀ ଶର୍ମାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି।

